Site icon ଆଜିକାଲି

ଫ୍ରାନ୍ସରେ ମେୟରଙ୍କ ଘରକୁ କାର ପସାଇ ନିଆଁ ଲଗାଇଦେଲେ ଦଙ୍ଗାକାରୀ, ପତ୍ନୀ ଓ ପିଲା ଆହତ

ନୂଆଦିଲ୍ଲୀ : ଫ୍ରାନ୍ସରେ ୧୭ ବର୍ଷୀୟ ଆଲଜେରୀୟ ଯୁବକଙ୍କୁ ପୋଲିସ ଗୁଳିମାରି ହତ୍ୟା କରିବା ପରେ ଅଶାନ୍ତ ହୋଇପଡିଛି ଫ୍ରାନ୍ସ । ଲଗାତାର ୫ମ ଦିନରେ ଦେଶରେ ଦଙ୍ଗା ଜାରି ହୋଇଛି । ୧୩୦୦ରୁ ଅଧିକ ଲୋକ ଗିରଫ ହୋଇସାରିଥିବା ବେଳେ ୪୫ ହଜାର ପୋଲିସ ନିୟୋଜିତ ରହିଛନ୍ତି । ଏଭଳି ପରିସ୍ଥିତିରେ ପ୍ୟାରିସର ଦକ୍ଷିଣାଞ୍ଚଳ ସହରର ମେୟରଙ୍କ ବାସଭବନ ଭିତରକୁ ଫ୍ରାନ୍ସ ଦଙ୍ଗାକାରୀମାନେ କାର୍ ଚଳାଇନେବାରୁ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି ।

ଟ୍ଵିଟ୍‌ କରି ମେୟର୍ ଭିନସେଣ୍ଟ୍ ଜିନ୍ବର୍ଣ୍ଣ ଲେଖିଛନ୍ତି ଯେ, ତାଙ୍କୁ ଓ ତାଙ୍କ ପରିବାରର କ୍ଷତି ପହଞ୍ଚାଇବା ପାଇଁ ଦଙ୍ଗାକାରୀ ମୋ ଘରକୁ ନିଆଁ ଲଗାଇବା ପୂର୍ବରୁ ଘର ଭିତରକୁ କାର ପସାଇ ଦେଇଥିଲେ । ମୋ ପରିବାର ଶୋଇଥିବା ବେଳେ ପ୍ରତିବାଦକାରୀମାନେ ଘର ଭିତରକୁ କାର୍ ଚଳାଇ ଆଣି ନିଆଁ ଲଗାଇ ଦେଇଥିଲେ। ମୋ ସ୍ତ୍ରୀ ଓ ପିଲା ଆହତ ହୋଇଛନ୍ତି।

ଏହାମଧ୍ୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପାଇଁ ସଙ୍କଟ ଦେଖାଦେଇଛି । ଯେକୌଣସି ପରିସ୍ଥିତିରେ ରାଷ୍ଟ୍ରପତି ଦଙ୍ଗା ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ରାଷ୍ଟ୍ରପତିଙ୍କ ଜର୍ମାନୀ ରାଜକୀୟ ଯାତ୍ରାକୁ ସ୍ଥଗିତ କରାଯାଇଛି । ବ୍ୟାପକ ଗିରଫଦାରୀ ଓ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଥମୁନି ହିଂସକାଣ୍ଡ। ପୋଲିସ ଗାଡ଼ି ଲୁଟ୍‌ , ଦୋକାନ ଭଙ୍ଗାରୁଜା କରିବା ସହ କାର ଜାଳିଦେଉଛନ୍ତି ପ୍ରଦର୍ଶନକାରୀ । ପୋଲିସ ଫୋର୍ସ ସାମ୍ନାରେ ଚାଲିଛି ଭଙ୍ଗାରୁଜା ପୋଡ଼ାଜଳା। ଏକ ବଡ଼ ଲାଇବ୍ରେରୀକୁ ମଧ୍ୟ ନିଆଁ ଲଗାଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ପୋଲିସ ଉପରକୁ ବାଣ ଫିଙ୍ଗୁଛନ୍ତି । ହିଂସାକାଣ୍ଡରେ ୨୫୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେଲେଣି।

ସୂଚନାଯୋଗ୍ୟ, ମଙ୍ଗଳବାର ପୋଲିସ ଗୁଳିରେ ନାହେଲ ନାମକ ଜଣେ ୧୭ ବର୍ଷର ଆଲଜେରୀୟ ବାଳକର ମୃତ୍ୟୁକୁ କେନ୍ଦ୍ର କରି ହିଂସାକାଣ୍ଡ ସୃଷ୍ଟି ହୋଇଛି। ବିଶେଷ କରି କମ ବର୍ଷର ପିଲାମାନେ ପୋଲିସ ବିରୋଧରେ ରାସ୍ତାକୁ ଓହ୍ଲାଉଛନ୍ତି। ନାହେଲଙ୍କ ମୃତ୍ୟୁ ପରେ ପୋଲିସ ବ୍ୟବସ୍ଥା ଏବଂ ଜାତିଆଣ ପ୍ରସଙ୍ଗ ଅଭିଯୋଗ ତୀବ୍ର ହୋଇଛି।

Exit mobile version