Site icon ଆଜିକାଲି

ବିସିସିଆଇରୁ ବିଦା ହେବା ଚର୍ଚ୍ଚା ମଧ୍ୟରେ ପ୍ରତିକ୍ରିୟା ରହିଲେ ଗାଙ୍ଗୁଲି


କୋଲକାତା: ବିସିସିଆଇ ପଦରୁ ବିଦା ହେବା ଚର୍ଚ୍ଚା ମଧ୍ୟରେ ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ବୋର୍ଡର କୌଣସି ପଦବୀରେ କୌଣସି ବ୍ୟକ୍ତି ସ୍ଥାୟୀ ନୁହଁନ୍ତି ବୋଲି ଗାଙ୍ଗୁଲି କହିଛନ୍ତି । ନିକଟରେ ହୋଇଥିବା ବୋର୍ଡ ବୈଠକ ପରେ ଖବର ପ୍ରକାଶ ପାଇଥିଲା ଯେ ଗାଙ୍ଗୁଲି ଦ୍ୱିତୀୟ ଥର ପାଇଁ ବିସିସିଆଇ ସଭାପତି ହେବାକୁ ଆଗ୍ରହୀ ଥିବା ସତ୍ତ୍ୱେ ତାଙ୍କୁ ପଦ ଛାଡ଼ିବାକୁ କୁହାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୀତି ମଧ୍ୟ ଜୋର୍ ଧରିଥିଲା । ବିସିସିଆଇରୁ ଦାଦାଙ୍କ ବିଦା ହେବା ପଛରେ ବିଜେପିର ଭୂମିକା ରହିଛି ବୋଲି ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ କରିଥିଲା । ତେବେ ତୃଣମୂଳ କଂଗ୍ରେସର ଏହି ଅଭିଯୋଗକୁ ବିଜେପି ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲା ।

ଗାଙ୍ଗୁଲି ଏକ ଇଭେଣ୍ଟରେ କହିଛନ୍ତି ଯେ, ମୁଁ ପାଞ୍ଚ ବର୍ଷ ପାଇଁ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ସଭାପତି ଥିଲି। ମୁଁ ତିନି ବର୍ଷ ଧରି ବିସିସିଆଇ ସଭାପତି ରହିଲି । କାର୍ଯ୍ୟକାଳ ଶେଷ ହେଲେ ଆପଣଙ୍କୁ ଯିବାକୁ ପଡିବ | ଜଣେ ପ୍ରଶାସକ ଭାବରେ ମୋ କାର୍ଯ୍ୟକାଳକୁ ମୁଁ ପୁରା ଉପଭୋଗ କରିଛି । ଆପଣ ସବୁବେଳେ ଦଳରେ ଖେଳିପାରିବେ ନାହିଁ କି ପ୍ରଶାସନରେ ରହିପାରିବେ ନାହିଁ । ଗାଙ୍ଗୁଲିଙ୍କ ଏହି ମନ୍ତବ୍ୟରୁ ସେ ବିସିସିଆଇ ସଭାପତି ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି ବିସିସିଆଇର ପରବର୍ତ୍ତୀ ସଭାପତି ଭାବେ ଗାଙ୍ଗୁଲିଙ୍କ ସ୍ଥାନ ନେବା ସମ୍ଭାବନା ରହିଛି । ସେହିପରି ଅରୁଣ ଧୁମଲଙ୍କ ସ୍ଥାନରେ ବିଜେପି ବିଧାୟକ ଆଶିଷ ଶେଲାର କୋଷାଧ୍ୟକ୍ଷ ହେବେ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଜୟ ଶାହା ବିସିସିଆଇ ସଚିବ ଭାବେ ତାଙ୍କ ପଦରେ ରହିବେ ।

ମଙ୍ଗଳବାର ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଅନୁଷ୍ଠିତ ବିସିସିଆଇ ବୈଠକରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ସଙ୍ଗଠନର କାର୍ଯ୍ୟାଳୟର ଅଧିକାରୀମାନେ ବୋର୍ଡରେ ବିଭିନ୍ନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅକ୍ଟୋବର ୧୮ରେ ହେବାକୁ ଥିବା ନିର୍ବାଚନ ନେଇ ବିସିସିଆଇର ଏକ ବୈଠକରେ ଆଲୋଚନା ହୋଇଥିଲା। ବିସିସିଆଇର ବରିଷ୍ଠ ପ୍ରଶାସକ ରାଜୀବ ଶୁକ୍ଲା ବୋର୍ଡର ଉପାଧ୍ୟକ୍ଷ ପଦ ବଜାୟ ରଖିବେ। ବିନ୍ନି ପୂର୍ବରୁ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ଦାୟିତ୍ଵ ତୁଲାଇଥିଲେ ।

Exit mobile version