Site icon ଆଜିକାଲି

ବିଶ୍ବର ଟପ୍-୧୦ ଧନୀ ତାଲିକାରୁ ବାଦ୍ ପଡ଼ିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌କୁ ବଡ଼ ଝଟକା। ଆଦାନୀ ଗ୍ରୁପ୍‌ର ପ୍ରତିଷ୍ଠାତା ଗୌତମ ଆଦାନୀ ମଙ୍ଗଳବାର ବିଶ୍ବର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାଦ୍ ପଡିଛନ୍ତି। ଆମେରିକୀୟ ସଂସ୍ଥା ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଆଦାନୀ ଗ୍ରୁପରେ ଆର୍ଥିକ ଅନିୟମିତତା ସହ ଜଡିତ ଗୁରୁତର ଅଭିଯୋଗ କରିବା ପରେ କମ୍ପାନୀର ସେୟାର ମୂଲ୍ୟ କ୍ରମାଗତ ହ୍ରାସ ପାଉଛି । ଏହା ଦ୍ବାରା ଗୌତମ ଆଦାନୀଙ୍କ ମୋଟ ବ୍ୟକ୍ତିଗତ ସମ୍ପତ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡିଛି ।

ଗତ କିଛି ଦିନ ମଧ୍ୟରେ ବିଶ୍ବର ପାଞ୍ଚ ଜଣ ବଡ଼ ଧନୀ ବ୍ୟକ୍ତିଙ୍କ ତାଲିକାର ବାହାରେ ରହିବା ପରେ ବର୍ତ୍ତମାନ ସେ ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଅର୍ଥନୈତିକ ଦୁନିଆ ସହ ଜଡିତ ଖବର ପ୍ରଦାନ କରୁଥିବା ବ୍ଲୁମବର୍ଗର ସଦ୍ୟତମ ତାଲିକାରେ ଗୌତମ ଆଦାନୀ ଏକାଦଶ ସ୍ଥାନକୁ ଖସି ଆସିଛନ୍ତି। ଏହି ତାଲିକାକୁ ଆଜି (ଜାନୁଆରୀ ୩୧) ହିଁ ଅପଡେଟ୍ କରାଯାଇଛି । ତେବେ ଆଦାନୀ ଫୋର୍ବସର ଧନୀ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି।

ମଙ୍ଗଳବାର ଦିନ ଷ୍ଟକ୍ ମାର୍କେଟର ପ୍ରାରମ୍ଭିକ କାରବାରରେ ଆଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଆଜି ମଧ୍ୟ ଆଦାନୀ ଏଣ୍ଟରପ୍ରାଇଜେସର ୨୦,୦୦୦ କୋଟି ଟଙ୍କା ଏଫପିଓ(ଫଲୋଅନ୍ ପବ୍ଲିକ ଅଫର୍)ର ଶେଷ ଦିନ । ସର୍ଟ ସେଲର ଫାଇନାନ୍ସିଆଲ୍ ରିସର୍ଚ୍ଚ ସଂସ୍ଥା ‘ହିଣ୍ଡେନବର୍ଗ’ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ଏହାର ଏଫପିଓ ପାଇଁ ନିବେଶକଙ୍କ ବିଶ୍ବାସ ଜିତିପାରିବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଜାନୁଆରୀ ୨୪ରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକ ୬୫ ବିଲିୟନ ଡଲାରର କ୍ଷତି ସହିଛନ୍ତି। ଆଦାନୀ ଗ୍ରୁପ୍ କିନ୍ତୁ ‘ହିଣ୍ଡେନବର୍ଗ’ ରିପୋର୍ଟକୁ ଭିତ୍ତିହୀନ ବୋଲି କହି ଏହା ‘ଭାରତ ଉପରେ ଆକ୍ରମଣ’ ବୋଲି କହିଛି ।

Exit mobile version