Site icon ଆଜିକାଲି

ପ୍ରଥମ ଟେଷ୍ଟ: ଗିଲ୍ ଓ ପୂଜାରାଙ୍କ ଶତକ, ବାଂଲାଦେଶକୁ ୫୧୩ ରନର ଟାର୍ଗେଟ୍ ଦେଲା ଭାରତ

ଚଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭଲ ବ୍ୟାଟିଂ ପରେ ବୋଲିଂରେ ମଧ୍ୟ କମାଲ୍ କରିଛି ଭାରତ । ଶୁଭମାନ ଗିଲ୍ ଓ ଚେତେଶ୍ବର ପୂଜାରାଙ୍କ ଶତକ ବଳରେ ଚଟୋଗ୍ରାମର ଜହୋର ଅହମ୍ମଦ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟ ସୁଯୋଗ ସୃଷ୍ଟି କରିଛି । ବାଂଲାଦେଶ ସମ୍ମୁଖରେ ଭାରତ ୫୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦେଶ ବିନା କୌଣସି ୱିକେଟ୍ ହରାଇ ୪୨ ରନ୍ କରିଛି । ବାଂଲାଦେଶକୁ ବିଜୟ ପାଇଁ ଆହୁରି ୪୭୧ ରନ୍ ଆବଶ୍ୟକ। ତେବେ ପିଚ୍ କ୍ରମାଗତ ଧିମା ହେବାରେ ଲାଗିଥିବାରୁ ବାଂଲାଦେଶ ପକ୍ଷେ ମ୍ୟାଚ୍ ବଞ୍ଚାଇବା କଷ୍ଟକର। ଅନ୍ୟପକ୍ଷରେ ଭାରତ ଚତୁର୍ଥ ଦିବସରେ ବାଂଲାଦେଶର ୧୦ଟି ଓ୍ବିକେଟ୍ ଖସାଇ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟରେ ରହିବ ।

ପୂର୍ବରୁ ବାଂଲାଦେଶ ଏହାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର୍ ୧୩୩/୮ରୁ ଖେଳ ଆରମ୍ଭ କରି ୧୫୦ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦୀର୍ଘ ଦିନ ପରେ ଟେଷ୍ଟ ଦଳକୁ ଫେରିଥିବା ବାମହାତୀ ସ୍ପିନର କୁଲଦୀପ ଯାଦବ ୫ଟି ଓ୍ବିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ୍ ୩ଟି ଓ୍ବିକେଟ୍ ନେଇଥିଲେ । ଭାରତ ପ୍ରଥମ ଇନିଂସ ଭିତ୍ତିରେ ୨୫୪ ରନର ବୃହତ ଅଗ୍ରଣୀ ହାସଲ କରିଥିଲା ।‌‌ ଯଦିଓ ବାଂଲାଦେଶ ଫଲୋଅନ୍ ଟାର୍ଗେଟ (୨୦୫ ରନ୍)ରୁ ବହୁ ଦୂରରେ ରହି ଅଲ୍ଆଉଟ୍ ହୋଇଯାଇଥିଲା, ଭାରତ ଫଲୋଅନ୍ ନ ଦେଇ ଦ୍ବିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା ।

କ୍ୟାପଟେନ୍ କେଏଲ ରାହୁଲ ପୁଣି ଫେଲ୍ ମାରିଥିଲେ । ସେ ମାତ୍ର ୨୪ ରନ୍ କରି ଖାଲିଦ ଅହମ୍ମଦଙ୍କ ଶିକାର ହୋଇଥିଲେ । କିନ୍ତୁ ଶୁଭମାନ ଗିଲ୍ ଓ ଚେତେଶ୍ବର ପୂଜାରା ଶତକୀୟ ଇନିଂସ ସହ ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ । କ୍ୟାରିୟରର ଏକାଦଶ ଟେଷ୍ଟ ଖେଳୁଥିବା ଗିଲ୍ ପ୍ରଥମ ଶତକ ହାସଲ କରିଥିଲେ। ଗିଲ୍ ୧୫୨ ବଲରେ ୧୦ଟି ଚୌକା ଓ ୩ଟି ଚକା ସହ ୧୧୦ ରନ୍ କରିଥିଲେ । ସେହିପରି ଚେତେଶ୍ୱର ପୂଜାରା ଦୀର୍ଘ ଦିନ ପରେ ତିନି ଅଙ୍କ ଛୁଇଁଥିଲେ । ପୂଜାରା ୧୩୦ ବଲରେ ୧୩ଟି ଚୌକା ସହ ୧୦୨ ରନ୍ କରି ଅପରାଜିତ ରହିଥିଲେ । ପୂଜାରା ୫୨ଟି ଇନିଂସ୍ ପରେ ଏକ ଶତକ ‌‌ହାସଲ କରିଛନ୍ତି । ଏହା ତାଙ୍କ ୧୯ତମ ଶତକ । ଏହା ମଧ୍ୟ ତାଙ୍କର ଦ୍ରୁତତମ ଶତକ । ପୂଜାରା ଶତକ ପୂରଣ କରିବା ପରେ ଭାରତ ୨ ୱିକେଟରେ ୨୫୮ ରନ୍ କରି ଦ୍ୱିତୀୟ ଇନିଂସ୍ ପରିସମାପ୍ତି ଘୋଷଣା କରିଥିଲା। ପୂଜାରାଙ୍କ ସହ ବିରାଟ କୋହଲି ୧୯ ରନ୍ କରି ଅପରାଜିତ ରହିଥିଲେ ।

Exit mobile version