Site icon ଆଜିକାଲି

ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ଭାବେ ଗିଲଙ୍କୁ ଆଇସିସି ପୁରସ୍କାର

ଦୁବାଇ: ଦିନିକିଆ ଫର୍ମାଟରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ ଜାନୁଆରୀ ମାସ ପାଇଁ ଆଇସିସିର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ମହିଳା ବିଭାଗରେ ଏହି ସମ୍ମାନ ଜିତିଛନ୍ତି ଇଂଲଣ୍ଡ ଅଣ୍ଡର-୧୯ ଅଧିନାୟକ ଗ୍ରେସ ସ୍କ୍ରିଭେନ୍ସ । ଆଇସିସିର ଏହି ପୁରସ୍କାର ଜିତିବାରେ ସ୍କ୍ରିଭେନ୍ସ ହେଉଛନ୍ତି ସର୍ବକନିଷ୍ଠ ଖେଳାଳି।

ଜାନୁଆରୀରେ ସୀମିତ ଓଭର କ୍ରିକେଟ୍ ରେ ଗିଲ୍ ରେକର୍ଡ ବ୍ରେକିଂ ପ୍ରଦର୍ଶନ କରିଥିଲେ। ସେ ଉଭୟ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଫର୍ମାଟରେ ରନ୍ ବର୍ଷା କରିଥିଲେ। ୨୩ ବର୍ଷୀୟ ଗିଲ୍ ଜାନୁଆରୀରେ ତିନୋଟି ୧୦୦-ପ୍ଲସ୍ ସ୍କୋର ସହ ମୋଟ ୫୬୭ ରନ୍ କରିଥିଲେ ।

ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ସେ ଏକ ଦ୍ୱିଶତକ ହାସଲ କରିଥିଲେ। ସେ ୨୮ ଟି ଚୌକା ସହାୟତାରେ ମାତ୍ର ୧୪୯ ବଲରେ ୨୦୮ ରନର ବିସ୍ଫୋରକ ପାଳି ଖେଳିଥିଲେ । ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ କରିବାରେ ଗିଲ୍ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ଏହାଛଡ଼ା ସେ ଶ୍ରୀଲଙ୍କା ବିପକ୍ଷରେ ୧୧୬ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ୧୧୨ ରନ୍ କରିଥିଲେ।

ଗିଲ୍ ନ୍ୟୁଜିଲ୍ୟାଣ୍ଡର ଓପନର୍ ଡିଭନ୍ କନୱେ ଏବଂ ସାଥୀ ଖେଳାଳି ମହମ୍ମଦ ସିରାଜଙ୍କୁ ପଛରେ ପକାଇ ପ୍ରଥମ ଥର ପାଇଁ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଜିତିଛନ୍ତି। ଏହା ସହିତ ସେ ଅକ୍ଟୋବର ୨୦୨୨ରେ ବିରାଟ କୋହଲିଙ୍କ ପରେ ଏହି ପୁରସ୍କାର ଜିତିବାରେ ପ୍ରଥମ ଭାରତୀୟ ।

Exit mobile version