Site icon ଆଜିକାଲି

୧୦ ହଜାର କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ : ଆମାଜନ ଓ ମେଟା ପରେ ଆଉ ଏକ ଗ୍ଲୋବାଲ୍ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ କର୍ମଚାରୀ ଛଟେଇ ଆରମ୍ଭ କରିଛି । ମାଇକ୍ରୋସଫ୍ଟ ୧୦ ହଜାର କର୍ମଚାରୀଙ୍କୁ ବିଦା କରିଛି । କମ୍ପାନୀ ରେଗୁଲେଟରି ଫାଇଲିଂରେ ଏହି ସୂଚନା ଦେଇଛି। କମ୍ପାନୀ କହିଛି ଯେ ସାମଗ୍ରିକ ଅର୍ଥନୈତିକ ସ୍ଥିତି ଏବଂ ଗ୍ରାହକଙ୍କ ପ୍ରାଥମିକତାରେ ପରିବର୍ତ୍ତନ ଯୋଗୁଁ ଏପରି ପଦକ୍ଷେପ ନିଆଯାଇଛି।

ମାଇକ୍ରୋସଫ୍ଟ ମଧ୍ୟ ଏହାର ହାର୍ଡୱେର୍ ପୋର୍ଟଫୋଲିଓରେ ପରିବର୍ତ୍ତନ ସହ ଅନେକ ଅଫିସ ବନ୍ଦ କରିବାକୁ ଯାଉଛି। ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ ଛଟେଇ ସୋଇଥିବା କର୍ମଚାରୀ କମ୍ପାନୀର ମୋଟ ମାନବ ସମ୍ବଳର ୫ ପ୍ରତିଶତରୁ କମ୍। ନାଡେଲା କହିଛନ୍ତି, ଯଦିଓ ଆମେ କେତେକ କ୍ଷେତ୍ରରେ ଛଟେଇ କରିଛୁ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ରଣନୀତିକ କ୍ଷେତ୍ରରେ ନିଯୁକ୍ତି ଜାରି ରଖିବୁ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରି ଏକ ନୂତନ କମ୍ପ୍ୟୁଟର ପ୍ଲାଟଫର୍ମ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କିଛି ଦିନ ପୂର୍ବରୁ କମ୍ପାନୀର କାର୍ଯ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ସଙ୍କେତ ଦେଇଥିଲେ । ସତ୍ୟ ନାଡେଲା କହିଥିଲେ ଯେ ଗ୍ଲୋବାଲ ଚ୍ୟାଲେଞ୍ଜ ସାମ୍ନାରେ ମାଇକ୍ରୋସଫ୍ଟ ଅପ୍ରଭାବିତ ରହିପାରିବ ନାହିଁ । ଆସନ୍ତା ଦୁଇ ବର୍ଷ କମ୍ପାନୀ ପାଇଁ ସବୁଠାରୁ କଷ୍ଟସାଧ୍ୟ ହୋଇପାରେ।

ଆର୍ଥିକ ମାନ୍ଦାବସ୍ଥାର ଆଭାସ ପରେ ବିଶ୍ଵରେ ବଡ଼ ବଡ଼ ଟେକ୍ କମ୍ପାନୀଗୁଡିକ ଛଟେଇ ଆରମ୍ଭ କରିଛନ୍ତି | ଆମାଜନ, ମେଟା ପରି ଆମେରିକାର ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡିକ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏବେ ଏହି ଧାରାରେ ମାଇକ୍ରୋସଫ୍ଟର ନାମ ମଧ୍ୟ ଯୋଡି ହୋଇଯାଇଛି | ମାଇକ୍ରୋସଫ୍ଟରେ ସମୁଦାୟ ୨ ଲକ୍ଷ ୨୧ ହଜାର ଫୁଲ୍ ଟାଇମ୍ କର୍ମଚାରୀ ଅଛନ୍ତି ଏବଂ ଏଥିମଧ୍ୟରୁ କମ୍ପାନୀର ଆମେରିକା କାର୍ଯ୍ୟାଳୟରେ ହିଁ ୧ ଲକ୍ଷ ୨୨,୦୦୦ କର୍ମଚାରୀ କାମ କରନ୍ତି ।

Exit mobile version