Site icon ଆଜିକାଲି

ଗୋ ଫର୍ଷ୍ଟ ସଙ୍କଟ: ମେ ୧୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ ବନ୍ଦ, ମେ ୯ ଯାଏଁ ଉଡ଼ାଣ ବାତିଲ୍; ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ କହିଲା ଡିଜିସିଏ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୱାଡିଆ ଗ୍ରୁପ୍‌ର ଏୟାରଲାଇନ୍ ‘ଗୋ ଫର୍ଷ୍ଟ’ ମେ ୧୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ ବନ୍ଦ କରି ଦେଇଛି। ଏହାଛଡ଼ା ମେ ୯ ପର୍ଯ୍ୟନ୍ତ ସବୁ ଫ୍ଲାଇଟ୍ ବାତିଲ କରିଛି କମ୍ପାନୀ। ଏହାକୁ ଦେବାଳିଆ ଘୋଷଣା କରିବାକୁ କମ୍ପାନୀ ତରଫରୁ ଏନସିଏଲଟି ରେ ଆବେଦନ ମଧ୍ୟ କରାଯାଇଛି । ଏହାପୂର୍ବରୁ ସୋମବାର ‘ଗୋ ଫର୍ଷ୍ଟ’ ମେ ୩, ୪ ଓ ୫ ପାଇଁ ଫ୍ଲାଇଟ୍ ବାତିଲ ଘୋଷଣା କରିଥିଲା। ଗୋ ଫର୍ଷ୍ଟ ଫ୍ଲାଇଟ୍ ବାତିଲ କରିବା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଟିକେଟ୍ କରିଥିବା ଯାତ୍ରୀମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ କମ୍ପାନୀକୁ କହିଛନ୍ତି ଡିଜିସିଏ ।

ଇଞ୍ଜିନ ଯୋଗାଣ ନହେବା କାରଣରୁ ଗୋ ଫର୍ଷ୍ଟ ସମ୍ପ୍ରତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ବିମାନ ଇଞ୍ଜିନ ନିର୍ମାତା ପ୍ରାଟ୍ ଆଣ୍ଡ ହ୍ବିଟନି (ପିଡବ୍ଲୁ) ‘ଗୋ ଫର୍ଷ୍ଟ’ କୁ ଇଞ୍ଜିନ ଯୋଗାଇବାର ଥିଲା । କିନ୍ତୁ ଠିକ ସମୟରେ ଇଞ୍ଜିନ ଯୋଗାଣ ହୋଇନଥିଲା । ଏହି କାରଣରୁ କମ୍ପାନୀର ଅଧାରୁ ଅଧିକ ଫ୍ଲାଇଟ୍ ବାତିଲ କରିବାକୁ ପଡିଥିଲା। ଫ୍ଲାଇଟ୍ ବାତିଲ ଯୋଗୁଁ କମ୍ପାନୀ ପାଖରେ ଏବେ ନଗଦର ଅଭାବ ଦେଖାଦେଇଛି | ଏହାଛଡ଼ା ଇନ୍ଧନ ଭରିବା ପାଇଁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ।

Exit mobile version