Site icon ଆଜିକାଲି

ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ଗୋଆ ପୋଲିସ

ପାଣାଜୀ: ଟିକଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲାରେ ଗୋଆ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ କର୍ଲିଜ୍ ରେଷ୍ଟୁରାଣ୍ଟର ମାଲିକ ଓ ଜଣେ ଡ୍ରଗ୍ସ ବେପାରୀ ରହିଛନ୍ତି। କର୍ଲିଜ୍ ରେଷ୍ଟୁରାଣ୍ଟରେ ସୋନାଲିଙ୍କୁ ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିବା ଅଭିଯୋଗ ହୋଇଥିଲା | ଏହାଛଡ଼ା ସୋନାଲିଙ୍କ ପିଏଙ୍କୁ ଡ୍ରଗ୍ସ ଯୋଗାଇଥିବା ଅଭିଯୋଗରେ ଜଣେ ଡ୍ରଗ୍ସ ବେପାରୀଙ୍କୁ ମଧ୍ୟ ପୋଲିସ ଗୋଆରୁ ଗିରଫ କରିଛି। କୁହାଯାଉଛି ଯେ ରେଷ୍ଟୁରାଣ୍ଟରେ ଚଢ଼ାଉ କରିବା ପରେ ଏଠାକାର ଟଏଲେଟରୁ ମଧ୍ୟ ଡ୍ରଗ୍ସ ଜବତ କରାଯାଇଛି।

ସୋନାଲି ଫୋଗଟ ମାମଲାରେ ପୋଲିସ ତାଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସହଯୋଗୀଙ୍କୁ ଗିରଫ କରିସାରିଛି। ଏବେ ରେଷ୍ଟୁରାଣ୍ଟ ମାଲିକ ତଥା ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯିବା ପରେ ଏହି ମାମଲାରେ ଗିରଫ ଲୋକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୋଲିସ କହିଛି ଯେ ଯେଉଁ ଟଏଲେଟରୁ ଡ୍ରଗ୍ସ ମିଳିଛି ​​ସେହି ଓ୍ବାଶରୁମକୁ ସୋନାଲି ଫୋଗଟ ମୃତ୍ୟୁର କିଛି ମିନିଟ ପୂର୍ବରୁ ଯାଇଥିଲେ।

ସୋନାଲି ଫୋଗାଟଙ୍କ ମୃତ୍ୟୁ ପରେ ପ୍ରସିଦ୍ଧ ଅଞ୍ଜୁନା ବେଳାଭୂମିରେ ଅବସ୍ଥିତ ଗୋଆର ରେଷ୍ଟୁରାଣ୍ଟ କର୍ଲିଜ୍ ପୁଣି ଚର୍ଚ୍ଚାରେ ରହିଛି | ୧୪ ବର୍ଷ ପୂର୍ବେ ଜଣେ ବ୍ରିଟିଶ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏହି ରେଷ୍ଟୁରାଣ୍ଟ ସେତେବେଳେ ମଧ୍ୟ ଚର୍ଚ୍ଚାରେ ଥିଲା । ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗଟ ଏହି ରେଷ୍ଟୁରାଣ୍ଟକୁ ଯାଇଥିଲେ ଏବଂ ଏଠାରେ ତାଙ୍କୁ ତାଙ୍କର ସହଯୋଗୀ ଡ୍ରିଙ୍କ୍ସରେ ଡ୍ରଗ୍ସ ମିଶାଇ ବଳପୂର୍ବକ ପିଆଇ ଦେଇଥିଲେ ।

Exit mobile version