Site icon ଆଜିକାଲି

ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ସ୍କିମ୍

ନୂଆଦିଲ୍ଲୀ : ଯଦି ଆପଣ ଶସ୍ତା ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜି (ସୋମବାର) ଅର୍ଥାତ ଅଗଷ୍ଟ ୨୨ରୁ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବ । ବାସ୍ତବରେ ମୋଦି ସରକାର ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି । ଏଠାରେ କହି ରଖୁଛୁ ଯେ ଆପଣ ଏହି ସୁନାକୁ ଫିଜିକାଲ ରୂପରେ ପାଇବେ ନାହିଁ । ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୨-୨୩ ଅଧୀନରେ ଆପଣ ଅଗଷ୍ଟ ୨୨ରୁ ୨୬ ପର୍ଯ୍ୟନ୍ତ ସୁନାରେ ନିବେଶ କରିବାର ସୁଯୋଗ ପାଇବେ ।

ଗତ କିଛି ବର୍ଷ ହେବ କେନ୍ଦ୍ରର ମୋଦି ସରକାର ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ଗୋଲ୍ଡ ବଣ୍ଡ ସ୍କିମ୍ । ଏହି ଯୋଜନା ଅଧୀନରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ପୁଣି ଥରେ ସୁନା ବିକ୍ରି କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ସରକାର ବଣ୍ଡ ଆକାରରେ ସୁନା ବିକ୍ରି କରନ୍ତି । ଏହି ସୁନାର ମୂଲ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମୟ ସମୟରେ ଏହି ସୁନାର ମୂଲ୍ୟ ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ସୁନା ଅପେକ୍ଷା ଶସ୍ତା ଓ ନିରାପଦ ଅଟେ । ଏହି ଯୋଜନା ଅନ୍ତର୍ଗତ ସୁନାର ନୂତନ ମୂଲ୍ୟ ବିଷୟରେ ଆସନ୍ତୁ ଜାଣିବା ।

ସରକାରୀ ଗୋଲ୍ଡ ବଣ୍ଡ ଯୋଜନା ଅନ୍ତର୍ଗତ ଡିଜିଟାଲ ସୁନା ମୂଲ୍ୟ ଆରବିଆଇ ସ୍ଥିର କରିଥାଏ । ବଣ୍ଡର ନୂତନ ମୂଲ୍ୟ ଗ୍ରାମ ପିଛା ୫,୧୯୭ ଟଙ୍କା ଧାର୍ଯ୍ୟ କରାଯାଇଛି । ଅର୍ଥ ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ଯେ ଯେଉଁମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ପରାମର୍ଶ କରି ଅନଲାଇନ୍ କ୍ରୟ କରନ୍ତି ସେମାନଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିପରି ନିବେଶକମାନଙ୍କ ପାଇଁ ୫,୧୪୭ ଟଙ୍କା ଦରରେ ଗୋଟିଏ ଗ୍ରାମ ସୁନା ବଣ୍ଡ ଜାରି କରାଯିବ ।

ଏଠାରେ କହି ରଖୁଛୁ ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମର ପ୍ରଥମ ସିଜନରେ ଆରବିଆଇ ଇସୁ ମୂଲ୍ୟ ପ୍ରତି ଗ୍ରାମ ପିଛା ୫,୦୯୧ ଟଙ୍କା ସ୍ଥିର କରାଯାଇଥିଲା । ଅନଲାଇନ୍ କିଣିବା ସମୟରେ ଆପଣ ପ୍ରତି ଗ୍ରାମରେ ୫୦ ଟଙ୍କା ଅତିରିକ୍ତ ରିହାତି ପାଇବେ, ତେଣୁ ଏହାର ମୂଲ୍ୟ ଗ୍ରାମ ପିଛା ୫,୦୪୧ ଟଙ୍କା ହୋଇଯାଇଥିଲା । ଏହାର ପ୍ରଥମ ସିରିଜ୍ ଜୁନ ୨୦ରୁ ୨୩ ପର୍ଯ୍ୟନ୍ତ ଖୋଲା ରହିଥିଲା, ଯେଉଁଥିରେ ନିବେଶକମାନେ ଶସ୍ତା ସୁନା ନେବାକୁ ସୁଯୋଗ ପାଇଥିଲେ ।

Exit mobile version