Site icon ଆଜିକାଲି

ଚିକାଗୋରେ ଗର୍ଜିଲା ବନ୍ଧୁକ; ଅଜଣା ଅତତାୟୀର ଗୁଳିମାଡ଼ରେ ୮ ମୃତ

ନୂଆଦିଲ୍ଲୀ: ଆମେରିକାରେ ଭୟଙ୍କର ଗୁଳିକାଣ୍ଡ । ବନ୍ଧୁକ ଗର୍ଜନରେ ଥରି ଉଠିଲା ଚିକାଗୋ ସହର । ସୋମବାର ଚିକାଗୋ ଉପନଗରର ପୃଥକ ପୃଥକ ସ୍ଥାନରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଥିରେ ପ୍ରାୟ ୮ଜଣ ପ୍ରାଣ ହରାଇଛନ୍ତି । ଏହି ହତ୍ୟାକାଣ୍ଡ ଇଲିନୋଇସ୍ ପ୍ରାନ୍ତରେ ହୋଇଛି । ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ଜଣେ ଆତତାୟୀ ଅତର୍କିତ ଭାବେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।

ଏପି ନ୍ୟୁଜ୍ ଏଜେନ୍ସି ରିପୋର୍ଟ ମୁତାବକ, ସୋମବାର ସଂଧ୍ୟାରେ ଇଲିନୋଇସ୍ ପ୍ରାନ୍ତର ଚିକାଗୋ ସହର ନିକଟସ୍ଥ ଜୋଲଏଟ୍ ଓ୍ବିଲ କାଉଣ୍ଟିରେ ଏହି ଗୁଳିକାଣ୍ଡ ହୋଇଛି । ତେବେ କେଉଁ କାରଣରୁ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଛି, ତାହାର ତଦନ୍ତ କରୁଛି ଓ୍ବିଲ କାଉଣ୍ଟି ପୋଲିସ । ରବିବାର ଓ ସୋମବାର ଏହି ହତ୍ୟାକାଣ୍ଡ ହୋଇଥିଲା । ତିନୋଟି ଭିନ୍ନ ଭିନ୍ନ ସ୍ଥାନରୁ ମୃତକଙ୍କ ଶବ ମିଳିଛି । ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ମୃତକଙ୍କ ଜାଣିଥିବା ନେଇ ଦାବି କରିଛନ୍ତି ସ୍ଥାନୀୟ ପତ୍ରକାର ।

ହତ୍ୟାକାଣ୍ଡ ପରେ ଆମେରିକା ପୋଲିସ ସୋସିଆଲ୍ ମିଡିଆରେ ଚେତାବନୀ ଜାରି କରିଛି । ହାତରେ ମାରଣାସ୍ତ୍ର ଧରିଥିବା ବ୍ୟକ୍ତିକୁ ଅପରାଧି ଘୋଷଣା କରାଯାଇଛି । ଜୋଲଏଟ୍ ପୋଲିସ ପ୍ରମୁଖ ବିଲିୟମ୍ ଇଓ୍ବାଂସ କହିଛନ୍ତି, ସନ୍ଦିଗ୍ଧକୁ ଧରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ସ୍ଥାନୀୟ ପୋଲିସଙ୍କ ସହଯୋଗରେ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି । ମୃତ୍ୟୁ ହୋଇଥିବା ୮ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ଓ୍ବିଲ କାଉଣ୍ଟିର ଏକ ଘରୁ ମିଳିଥିଲା । ଏହା ପରେ ଅନ୍ୟ ୭ଜଣଙ୍କ ମୃତଦେହ ଜୋଲଏଟ୍‌ର ଦୁଇଟି ଘରୁ ମିଳିଥିଲା । ତେବେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

Exit mobile version