Site icon ଆଜିକାଲି

ନିଜ ଉତ୍ତରାଧିକାରୀ ମନୋନୀତ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଲଲିତଙ୍କୁ କହିଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଭାରତର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀ ମନୋନୀତ କରିବାକୁ କହିଛନ୍ତି। ସୂଚନା ଅନୁଯାୟୀ ଏହି ଚିଠି ଶୁକ୍ରବାର ସକାଳେ ହିଁ ପଠାଯାଇଛି। ଜଷ୍ଟିସ ଉଦୟ ଉମେଶ ଲଲିତ ନଭେମ୍ବର ୮ରେ ଅବସର ନେଉଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଲଳିତଙ୍କ ପରେ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଏବଂ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ମୁଖ୍ୟ ଦାବିଦାର | ସାଧାରଣତଃ ପ୍ରଧାନ ବିଚାରପତି ତାଙ୍କ ପରେ ସବୁଠୁ ବରିଷ୍ଠ ବିଚାରପତିଙ୍କୁ ଉତ୍ତରାଧିକାରୀ ଭାବେ ମନୋନୀତ କରନ୍ତି। ଏହି ପରମ୍ପରା ଅନୁଯାୟୀ ଜଷ୍ଟିସ ଚନ୍ଦ୍ରଚୂଡ ଦେଶର ୫୦ତମ ପ୍ରଧାନ ବିଚାରପତି ହୋଇପାରନ୍ତି।

ପରମ୍ପରା ଅନୁଯାୟୀ, ସରକାର ପଦାସୀନ ପ୍ରଧାନ ବିଚାରପତିଙ୍କୁ ନିଜ ଉତ୍ତରାଧିକାରୀ ମନୋନୀତ କରିବାକୁ ଅନୁରୋଧ କରନ୍ତି । ଅବସର ଗ୍ରହଣର ଏକ ମାସ ପୂର୍ବରୁ ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତିଙ୍କ ନାମ ସୁପାରିସ କରିଥାନ୍ତି। ନାମ ସୁପାରିସ କରାଯିବା ପରେ ପଦାସୀନ ପ୍ରଧାନ ବିଚାରପତି ସାଧାରଣତଃ ନୂଆ ବିଚାରପତି ନିଯୁକ୍ତି ପାଇଁ ସୁପାରିସ ଉପରେ ନିଷ୍ପତ୍ତି ନିଅନ୍ତି ନାହିଁ । ଏ ନିଷ୍ପତ୍ତି ସେ ନୂଆ ପ୍ରଧାନ ବିଚାରପତିଙ୍କ ଉପରେ ଛାଡିଦିଅନ୍ତି |

ସୂଚନା ଯେ, ଜଷ୍ଟିସ ଚନ୍ଦ୍ରଚୂଡ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଯଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ପୁଅ। ସବୁଠାରୁ ଅଧିକ ଦିନ ଦେଶର ପ୍ରଧାନ ବିଚାରପତି ରହିବାରେ ଯଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ରେକର୍ଡ ରହିଛି। ସେ ୭ ବର୍ଷ ୪ ମାସ ଯାଏଁ ପ୍ରଧାନ ବିଚାରପତି ଥିଲେ।

Exit mobile version