Site icon ଆଜିକାଲି

ନୂଆ ସଂସଦ ଭବନରେ ମହିଳା ସଂରକ୍ଷଣ ବିଲ୍ ଆଗତ କଲେ ସରକାର

ନୂଆଦିଲ୍ଲୀ: ଆଜିଠାରୁ ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି । ପୁରୁଣା ସଂସଦ ଗୃହକୁ ଅଲବିଦା କରି ସାଂସଦମାନେ ନୂଆ ସଂସଦ ଭବନରେ ବସିଛନ୍ତି । ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି ସରକାର । ଏହି ବହୁ ପ୍ରତିକ୍ଷୀତ ବିଲ୍ ‘ନାରୀ ଶକ୍ତି ବନ୍ଦନ ଆଇନ’ ନାମରେ ସାମ୍ବିଧାନିକ ସଂଶୋଧନ ପାଇଁ ଲୋକସଭାରେ ଉପସ୍ଥାପିତ ହୋଇଛି।

ନୂଆ ସଂସଦର ପ୍ରକ୍ରିୟାର ପ୍ରଥମ ଦିନରେ କେନ୍ଦ୍ର ସରକାର ଏହି ବିଲ୍ ଆଗତ କରିଛନ୍ତି। ଲୋକସଭା ଓ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏହି ବିଲର ଲକ୍ଷ୍ୟ । ଏହାକୁ ଉପସ୍ଥାପନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପୂର୍ବରୁ ମହିଳା ସଂରକ୍ଷଣକୁ ନେଇ ସଂସଦରେ ମଧ୍ୟ କିଛି ପ୍ରୟାସ କରାଯାଇଛି। ଏହି ସମ୍ବନ୍ଧୀୟ ବିଲ୍ ପ୍ରଥମ ଥର ପାଇଁ ୧୯୯୬ରେ ଉପସ୍ଥାପିତ ହୋଇଥିଲା। ଅଟଳଜୀଙ୍କ କାର୍ଯ୍ୟକାଳ ସମୟରେ ମହିଳା ସଂରକ୍ଷଣ ବିଲ୍ ଅନେକ ଥର ଉପସ୍ଥାପିତ ହୋଇଥିଲା। କିନ୍ତୁ ଏହାକୁ ପାସ୍ କରିବା ପାଇଁ ଆମେ ଆବଶ୍ୟକୀୟ ସଂଖ୍ୟା ଯୋଗାଡ଼ କରିପାରିଲୁ ନାହିଁ ଏବଂ ସ୍ୱପ୍ନ ପୂରଣ ହୋଇପାରିନଥିଲା । ମହିଳାମାନଙ୍କୁ ଅଧିକାର ପ୍ରଦାନ କରିବା ଏବଂ ଏହିପରି ଅନେକ ପବିତ୍ର କାର୍ଯ୍ୟ ପାଇଁ ଈଶ୍ବର ମୋତେ ମନୋନୀତ କରିଛନ୍ତି । ”

” ଆମ ସରକାର ପୁଣିଥରେ ଏହି ଦିଗରେ ପଦକ୍ଷେପ ନେଇଛନ୍ତି। ଗତକାଲି ହିଁ କ୍ୟାବିନେଟରେ ମହିଳା ସଂରକ୍ଷଣ ବିଲ୍ ଅନୁମୋଦନ ହୋଇଥିଲା । ଆଜି, ୧୯ ସେପ୍ଟେମ୍ବରର ଏହି ତାରିଖ ଇତିହାସରେ ଅମରତ୍ଵ ହାସଲ କରିବାକୁ ଯାଉଛି। ନୀତି ପ୍ରଣୟନ କରିବାରେ ନାରୀ ଶକ୍ତିର ଅଧିକ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ନୂଆ ସଂସଦ ଗୃହରେ ପ୍ରଥମ ପ୍ରକ୍ରିୟା ଭାବେ ଦେଶର ଏହି ନୂଆ ପରିବର୍ତ୍ତନ ପାଇଁ ଆହ୍ବାନ ଦିଆଯାଇଛି। ”

“ଆମ ସରକାର ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଲୋକସଭା ତଥା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ବଢ଼ାଇବା । ଆମେ ନାରୀ ଶକ୍ତି ବନ୍ଦନ ଆଇନ ଉପସ୍ଥାପନ କରୁଛୁ।”

“କେବଳ ମହିଳାଙ୍କ ବିକାଶ ବିଷୟରେ କହିବା ଯଥେଷ୍ଟ ନୁହେଁ, ଯଦି ଆମକୁ ମାନବଜାତିର ବିକାଶ ଯାତ୍ରାରେ ନୂଆ ମାଇଲଖୁଣ୍ଟ ହାସଲ କରିବାର ଅଛି, ଯଦି ଆମକୁ ଦେଶର ବିକାଶ ଯାତ୍ରାରେ ନୂଆ ଗନ୍ତବ୍ୟ ସ୍ଥଳ ହାସଲ କରିବାକୁ ଅଛି, ତେବେ ଏହା ଜରୁରୀ ଯେ ଆମେ ମହିଳାଙ୍କ ନେତୃତ୍ୱରେ ବିକାଶକୁ ବଳ ଦେବା ।

“ମହିଳା ସଶକ୍ତିକରଣ ପାଇଁ ଆମର ପ୍ରତ୍ୟେକ ଯୋଜନା ମହିଳା ନେତୃତ୍ୱ ଦିଗରେ ଅତ୍ୟନ୍ତ ସାର୍ଥକ ପଦକ୍ଷେପ ନେଇଛି। ଗଣତନ୍ତ୍ରରେ ରାଜନୀତି, ନୀତି ଏବଂ ଶକ୍ତିର ବ୍ୟବହାର ସମାଜରେ ପ୍ରଭାବଶାଳୀ ପରିବର୍ତ୍ତନ ପାଇଁ ଏକ ବହୁତ ବଡ଼ ମାଧ୍ୟମ ।”

ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ପରେ ଲୋକସଭା ଆସନ୍ତାକାଲି ଯାଏଁ ମୁଲତବୀ କରାଯାଇଛି ।

Exit mobile version