Site icon ଆଜିକାଲି

ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ସରକାର ଦେବେ ବଡ଼ ଉପହାର, ଆଉ ୪ ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଏଥର ଦୀପାବଳିରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି ସରକାର । କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ିବା ସମ୍ଭାବନା ରହିଛି । ସରକାର ଦଶହରା ସୁଦ୍ଧା ଏହି ଘୋଷଣା କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସରକାର ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଉପହାର ଦେଇପାରନ୍ତି ବୋଲି ସୂଚନା ରହିଛି । ଏଥର ଡିଏ ୪ ପ୍ରତିଶତ ବଢ଼ିପାରେ।

ଯଦି ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ଏହା ୪୨ ପ୍ରତିଶତରୁ ୪୬ ପ୍ରତିଶତ ହୋଇଯିବ। ଡିଏ ବୃଦ୍ଧି ସହିତ କର୍ମଚାରୀଙ୍କ ବେତନ ମଧ୍ୟ ବଢ଼ିବ। ତେବେ ଏପର୍ଯ୍ୟନ୍ତ କର୍ମଚାରୀଙ୍କ ଡିଏ ବୃଦ୍ଧି ନେଇ ସରକାରଙ୍କ ତରଫରୁ କୌଣସି ବିବୃତି ଜାରି କରାଯାଇ ନାହିଁ । ହେଲେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୀପାବଳି ସୁଦ୍ଧା ସରକାର ଦ୍ୱିତୀୟ ଡିଏ ବୃଦ୍ଧି ସମ୍ପର୍କରେ ଘୋଷଣା କରିବେ ବୋଲି କର୍ମଚାରୀମାନେ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତାରେ ସରକାର ବର୍ଷକୁ ଦୁଇଥର ସଂଶୋଧନ କରନ୍ତି। ପ୍ରଥମ ଦଫାରେ ଜାନୁୟାରୀ ୧ ଓ ଦ୍ବିତୀୟ ଦଫାରେ ଜୁଲାଇ ପହିଲାରୁ ସଂଶୋଧିତ ମହଙ୍ଗା ଭତ୍ତା ଦିଆଯାଏ | ସରକାର ଚଳିତ ବର୍ଷ ପାଇଁ ପ୍ରଥମ ସଂଶୋଧନ ପୂର୍ବକ ମାର୍ଚ୍ଚ ୨୪ରେ ଡିଏ ବୃଦ୍ଧି ଘୋଷଣା କରିଥିଲେ । ଏହା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହୋଇଥିଲା । ଚାରି ପ୍ରତିଶତ ବୃଦ୍ଧି ସହ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୮ ରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଯଦି ସରକାର ଦୀପାବଳି ସୁଦ୍ଧା ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରନ୍ତି, ତେବେ ଏହା ଜୁଲାଇ ୧, ୨୦୨୩ରୁ ଲାଗୁ ହେବ |

Exit mobile version