Site icon ଆଜିକାଲି

ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ୍ ଡର୍ସିଙ୍କ ଅଭିଯୋଗକୁ ଖଣ୍ଡନ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଟ୍ୱିଟରର ସହପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜ୍ୟାକ୍ ଡର୍ସିଙ୍କ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି । ଡର୍ସି ୟୁଟ୍ୟୁବ ଚ୍ୟାନେଲ ‘ବ୍ରେକିଂ ପଏଣ୍ଟ’ରେ ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ ଚାଷୀ ଆନ୍ଦୋଳନ ସମୟରେ ଟ୍ବିଟରକୁ ବନ୍ଦ କରିବାକୁ ଭାରତ ସରକାର ଧମକ ଦେଇଥିଲେ । ଚାଷୀଙ୍କୁ ସମର୍ଥନ କରୁଥିବା ଏବଂ ସରକାର ବିରୋଧୀ ଆକାଉଣ୍ଟ ଗୁଡ଼ିକ ବ୍ଲକ୍ କରିବା ପାଇଁ କମ୍ପାନୀ ଉପରେ ଚାପ ପଡ଼ୁଥିଲା ।

ଡର୍ସିଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ସେ ଟୁଇଟ୍ କରି କହିଛନ୍ତି, ଜ୍ୟାକ୍ ଡର୍ସି ଡାହା ମିଛ କହୁଛନ୍ତି । ବୋଧହୁଏ ଏହା ଟ୍ୱିଟର ଇତିହାସର ସେହି ଅତ୍ୟନ୍ତ ସନ୍ଦେହଜନକ ପର୍ଯ୍ୟାୟକୁ ବାଦ୍ ଦେବାକୁ ଏକ ପ୍ରୟାସ | ଡର୍ସି ଏବଂ ତାଙ୍କ ଟିମ୍ ଅଧୀନରେ ଟ୍ୱିଟର ବାରମ୍ବାର ଏବଂ ଲଗାତାର ଭାରତୀୟ ଆଇନ ଉଲ୍ଲଂଘନ କରୁଥିଲା। ବାସ୍ତବରେ ସେମାନେ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ନିୟମ ମାନିନଥିଲେ । କେବଳ ଜୁନ୍ ୨୦୨୨ରେ ସେମାନେ ଶେଷରେ ଭାରତୀୟ ଆଇନ ମାନିଥିଲେ । କିନ୍ତୁ କେହି ଜେଲ ଯାଇ ନଥିଲେ କି ଟ୍ୱିଟର ‘ବନ୍ଦ’ ହୋଇନଥିଲା ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଭାରତୀୟ ଆଇନର ସାର୍ବଭୌମତ୍ବକୁ ଡର୍ସି ଗ୍ରହଣ କରୁନଥିଲେ | ସତେ ଯେପରି ଭାରତର ନିୟମ ତାଙ୍କ ପାଇଁ ଲାଗୁ ହେବନି। ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ଭାରତରେ କାମ କରୁଥିବା ସମସ୍ତ କମ୍ପାନୀ ଏହି ଦେଶର ନିୟମ ପାଳନ କରିବାକୁ ପଡ଼ିବ ।

Exit mobile version