Site icon ଆଜିକାଲି

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କାଶ୍ମୀରୀ ଅଧ୍ୟାପକଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ସରକାର, ଧାରା ୩୭୦ ମାମଲାରେ କୋର୍ଟରେ ହାଜର ପରେ ହୋଇଥିଲେ ସସପେଣ୍ଡ୍

ଶ୍ରୀନଗର: ଜମ୍ମୁ କାଶ୍ମୀର ସରକାର ରାଜନୀତି ବିଜ୍ଞାନ ଅଧ୍ୟାପକ ଜହୁର ଅହମ୍ମଦ ଭଟ୍ଟଙ୍କ ନିଲମ୍ବନ ରଦ୍ଦ କରିଛନ୍ତି । ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇ ନିଜ ବୟାନ ରଖିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ନିକଟରେ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଭଟ୍ଟଙ୍କ ନିଲମ୍ବନ କାରଣ ସମ୍ପର୍କରେ ଯାଞ୍ଚ କରିବାକୁ କହିଥିଲେ।

ଶ୍ରୀନଗରର ଏକ ସରକାରୀ କଲେଜର ବରିଷ୍ଠ ଅଧ୍ୟାପକ ଜହୁର ଅହମ୍ମଦ ଭଟ୍ଟଙ୍କୁ ଜଣେ ଅପରାଧୀ ଭାବେ ଘୋଷିତ କରି ନିଲମ୍ବିତ କରିଥିଲେ ଜମ୍ମୁ-କାଶ୍ମୀର ସରକାର ।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଧାରା ୩୭୦ରେ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରୁଛି। ବରିଷ୍ଠ ଓକିଲ କପିଲ ସିବଲ ପ୍ରଥମେ ଖଣ୍ଡପୀଠ ସମ୍ମୁଖରେ ଜହୁର ଅହମ୍ମଦ ଭଟ୍ଟଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଥିଲେ । ସୁପ୍ରିମକୋର୍ଟରେ ହାଜର ହେବାର ଦିନକ ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ବୋଲି ସିବଲ କହିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣିଙ୍କୁ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ସହ କଥା ହୋଇ ଭଟ୍ଟଙ୍କୁ କାହିଁକି ନିଲମ୍ବିତ କରାଯାଇଛି ତାହା ବୁଝିବାକୁ କହିଥିଲେ ।

ଜମ୍ମୁ-କାଶ୍ମୀରରୁ ଯେଉଁ ଭଳି ଧାରା ୩୭୦ ହଟାଇବାକୁ ନିଷ୍ପତ୍ତି ନିଆଗଲା ସେନେଇ ଅଧ୍ୟାପକ ଜଫୁର ଅହମ୍ମଦ ଭଟ୍ଟ ପ୍ରଶ୍ନ ଉଠାଇଥିଲେ। ଛାତ୍ରଛାତ୍ରୀଙ୍କୁ ଭାରତୀୟ ଗଣତନ୍ତ୍ର ବିଷୟରେ ପଢ଼ାଇବାରେ ଏବେ ସେ ଅସହଜ ମନେ କରୁଛନ୍ତି। କାରଣ ପିଲାମାନେ ତାଙ୍କୁ ଜଟିଳ ପ୍ରଶ୍ନ ପଚାରୁଛନ୍ତି ବୋଲି ଭଟ୍ଟ କହିଥିଲେ ।

Exit mobile version