Site icon ଆଜିକାଲି

୨୦୨୨ ଡିସେମ୍ବରରେ ଜିଏସ୍‌‌ଟି ସଂଗ୍ରହ ୧୫% ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌‌ଟି) ସଂଗ୍ରହରେ ବୃଦ୍ଧି । ଗତ ୨୦୨୨ ଡିସେମ୍ବରରେ ଜିଏସ୍‌‌ଟି ସଂଗ୍ରହ ୧୫% ବୃଦ୍ଧିପାଇ ୧.୪୯ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ଗତ ୨୦୨୧ ଡିସେମ୍ବରରେ ୧.୩୦ ଲକ୍ଷ କୋଟି ଟଙ୍କାର ଜିଏସ୍‌‌ଟି ସଂଗୃହୀତ ହୋଇଥିଲା। ଡିସେମ୍ବରରେ ବର୍ଦ୍ଧିତ ଜିଏସଟି ସଂଗ୍ରହରୁ ଦେଶରେ ବିନିର୍ମାଣ କାର୍ଯ୍ୟକଳାପ ଏବଂ ଉପଭୋକ୍ତା ଆହରଣ ଚାହିଦା ବୃଦ୍ଧି ସହିତ ଅଧିକରୁ ଅଧିକ ଟିକସ ନିୟମ ଅନୁପାଳନ ପରିଲକ୍ଷିତ ହେଉଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି, ୨୦୨୨ ଡିସେମ୍ବରରେ ମୋଟ ଜିଏସ୍‌‌ଟି ରାଜସ୍ୱ ସଂଗ୍ରହ ୧,୪୯,୫୦୭ କୋଟି ଟଙ୍କା ହୋଇଥିଲା। ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍‌‌ଟି ୨୬,୭୧୧ କୋଟି ଟଙ୍କା, ରାଜ୍ୟ ଜିଏସଟି ୩୩,୩୫୭ କୋଟି, ଆଇଜିଏସ୍‌‌ଟି ୭୮,୪୩୪ କୋଟି ଟଙ୍କା ରହିଛି। ୨୦୨୧ ଡିସେମ୍ବର ତୁଳନାରେ ୨୦୨୨ ଡସେମ୍ବରରେ ଜିଏସଟି ରାଜସ୍ୱ ସଂଗ୍ରହରେ ୧୫ ପ୍ରତିଶତ ବୃଦ୍ଧି ଘଟିଥିଲା। ଗତବର୍ଷ ଡିସେମ୍ବରରେ ଆମଦାନୀ କରାଯାଉଥିବା ସାମଗ୍ରୀ ଉପରୁ ଟିକସ ସଂଗ୍ରହ ୮ ପ୍ରତିଶତ ଏବଂ ଘରୋଇସ୍ତରରେ କାରବାର ହେଉଥିବା ସାମଗ୍ରୀ ଉପରେଟିକସ ସଂଗ୍ରହ ୧୮ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୨୨ ଏପ୍ରିଲରେ ରେକର୍ଡ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ମେ ମାସରେ ଏହା ୧.୪୧ ଲକ୍ଷ କୋଟି, ଜୁନ ୧.୪୫ ଲକ୍ଷ କୋଟି, ଜୁଲାଇ ୧.୪୯ ଲକ୍ଷ କୋଟି, ଅଗଷ୍ଟ ୧.୪୪ ଲକ୍ଷ କୋଟି, ସେପ୍ଟେମ୍ବର ୧.୪୮ ଲକ୍ଷ କୋଟି, ଅକ୍ଟୋବର ୧.୫୨ ଲକ୍ଷ କୋଟି, ନଭେମ୍ବରରେ୧.୪୬ ଲକ୍ଷ କୋଟି ଏବଂ ଡିସେମ୍ବରରେ ୧.୪୯ ଲକ୍ଷ କୋଟି ଟଙ୍କା ସଂଗୃହୀତ ହୋଇଥିଲା।

Exit mobile version