Site icon ଆଜିକାଲି

ଲଗାତାର ଦ୍ୱିତୀୟ ଥର ଆଇପିଏଲ୍ ଫାଇନାଲରେ ଗୁଜରାଟ

ଅହମ୍ମଦାବାଦ: ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ଟାଇଟାନ୍ସ କ୍ରମାଗତ ଦ୍ୱିତୀୟ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି। ରବିବାର (ମେ ୨୮) ଖେଳାଯିବାକୁ ଥିବା ଫାଇନାଲରେ ଗୁଜରାଟର ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ ସହ ହେବ । ଶୁକ୍ରବାର ଅନୁଷ୍ଠିତ କ୍ୱାଲିଫାୟର୍-୨ରେ ଗୁଜରାଟ ୬୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ଏହି ବିଜୟର ହିରୋ ଥିଲେ ଶୁବମାନ ଗିଲ୍ (୬୦ ବଲରେ ୧୨୯ ରନ୍) ଏବଂ ମୋହିତ ଶର୍ମା (୧୦ ରନରେ ୫ ୱିକେଟ୍)। ଗିଲ୍ ସିଜନରେ ତୃତୀୟ ଶତକ ହାସଲ କରିଥିଲେ। ସେ ପ୍ଲେ ଅଫରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଥିବାବେଳେ ଗୁଜରାଟ ତୃତୀୟ ଦଳ ଭାବେ କ୍ରମାଗତ ଦ୍ବିତୀୟ ସିଜନ୍ ପାଇଁ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଗିଲଙ୍କ ବିସ୍ଫୋରକ ଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୨୦ ଓଭରରେ ୨ ୱିକେଟ୍ ପାଇଁ ୨୩୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୮.୨ ଓଭରରେ ୧୭୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଓପନର୍ ଶୁବମାନ ଗିଲ ୬୦ ବଲରେ ୭ଟି ଚୌକା ଓ ୧୦ଟି ଛକା ସହ ୧୨୯ ରନର ଚିତ୍ତାକର୍ଷକ ଇନିଂସ୍ ଖେଳି ଗୁଜୁରାଟକୁ ପ୍ଲେ ଅଫ୍‌ର ସର୍ବାଧିକ ସ୍କୋରରେ ପହଞ୍ଚାଇଥିଲେ । ଗିଲଙ୍କ ବ୍ୟତୀତ ସାଇ ସୁଦର୍ଶନ ୩୧ ବଲରୁ ୪୩ ରନ୍ କରିଥିଲେ। ଶେଷ ଆଡ଼କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲରେ ଦୁଇଟି ଚୌକା ଓ ଦୁଇଟି ଛକା ସହ 28 ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ ।

ମୁମ୍ବାଇ ପାଇଁ ପୀୟୁଷ ଚାୱଲା ଏବଂ ଆକାଶ ମାଧୱାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହାର ଜବାବରେ ମୁମ୍ବାଇର ଟପ୍ ଅର୍ଡର ବିଫଳ ହୋଇଥିଲା। ଆହତ ଇଶାନ କିଶନଙ୍କ ସ୍ଥାନରେ ଇନିଂସ୍ ଓପନ୍ କରିବାକୁ ଆସିଥିବା ନେହଲ ୱାଡେରା ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ୮ ରନ କରିଥିଲେ। କ୍ୟାମେରନ୍ ଗ୍ରୀନ୍ ୩୦, ସୁର୍ଯ୍ୟକୁମାର ଯାଦବ ୬୧ ଏବଂ ତିଲକ ବର୍ମା ୪୩ ରନ୍ କରିଥିଲେ । କିନ୍ତୁ ମୁମ୍ବାଇ ବିଜୟ ଲକ୍ଷ୍ୟରୁ ୬୨ ରନ୍ ଦୂରରେ ରହିଯାଇଥିଲା ।

ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୧୦ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ମହମ୍ମଦ ଶାମି ଏବଂ ରସିଦ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଜୋଶୁଆ ଲିଟିଲଙ୍କୁ ଗୋଟିଏ ସଫଳତା ମିଳିଥିଲା |

ଗୁଜରାଟ ଦଳ ଏବେ ମେ ୨୮ରେ ଏମଏସ ଧୋନିଙ୍କ ଚେନ୍ନାଇ ବିପକ୍ଷ ଫାଇନାଲ ମ୍ୟାଚ ଖେଳିବ । ଯଦି ପାଣ୍ଡ୍ୟା ଧୋନିଙ୍କୁ ହରାଇ ଦିଅନ୍ତି, ତେବେ ଆଇପିଏଲ ଇତିହାସରେ ତୃତୀୟ ଦଳ ଭାବେ ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ଟାଇଟଲ ଜିତିବ।

Exit mobile version