Site icon ଆଜିକାଲି

ଗୁଜରାଟ ପୋଲ ଟ୍ରାଜେଡି: ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ ପାଇଁ କଂଗ୍ରେସର ଦାବି


ନୂଆଦିଲ୍ଲୀ: ଗୁଜରାଟର ମୋର୍ବିରେ ଏକ ଝୁଲା ପୋଲ ଭାଙ୍ଗିବା ଯୋଗୁଁ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାର ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଯାଞ୍ଚ କରାଯିବା ଉଚିତ ବୋଲି ସେ କହିଛନ୍ତି । ମରାମତି କରିବାର କିଛି ଦିନ ପରେ ଖୋଲାଯାଇଥିବା ଏହି ପୋଲ ଭାଙ୍ଗିବାର କାରଣ କ’ଣ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି ।

ରବିବାର ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ମୋର୍ବିରେ ମଚ୍ଛୁ ନଦୀ ଉପରେ ୧୦୦ରୁ ଊର୍ଦ୍ଧ୍ବ ବର୍ଷ ପୁରୁଣା ପୋଲ ଭୁଶୁଡି ପଡିଥିଲା। ଚାରି ଦିନ ପୂର୍ବରୁ ମରାମତି ପରେ ଏହି ପୋଲ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଘଟଣା ବେଳେ ପୋଲ ଉପରେ ପ୍ରାୟ ୫୦୦ ଲୋକ ଥିଲେ ବୋଲି କୁହାଯାଉଛି।

ଖଡ଼ଗେ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ “ଏହି ଘଟଣାକୁ ନେଇ ଆମେ ଦୁଃଖିତ । ପୀଡିତଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା।” ସେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ବହୁ କଂଗ୍ରେସ ନେତା ଓ କର୍ମୀ ସହଯୋଗ କରୁଛନ୍ତି ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ସେଠାରେ ପହଞ୍ଚିଛନ୍ତି |

ଖଡଗେ କହିଛନ୍ତି, “ଘଟଣାର ତଦନ୍ତ ହେବା ଉଚିତ। ଏହାକୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ କରାଯାଉ ।” ସେ କହିଛନ୍ତି, “ଆମେ ଏହି ଘଟଣାରେ ରାଜନୀତି କରିବାକୁ ଚାହୁଁ ନାହୁଁ, କାହାକୁ ଦାୟୀ କରିବାକୁ ଚାହୁଁନୁ। ତଦନ୍ତ ରିପୋର୍ଟ ପରେ ଏହି ଟ୍ରାଜେଡି ପାଇଁ ଦାୟୀ କିଏ ଜଣାପଡ଼ିବ।

Exit mobile version