Site icon ଆଜିକାଲି

ପଞ୍ଜାବ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ମୋହାଲି : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ରେ ୧୮ତମ ମ୍ୟାଚ ଗୁରୁବାର ଚଣ୍ଡିଗଡ଼ର ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଗତଥରର ବିଜେତା ହାର୍ଦିକ୍‌ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ଶିଖର ଧାୱନ୍‌ଙ୍କ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ମ୍ୟାଚରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆମନ୍ତ୍ରଣ ପାଇ ଶିଖର ଧାୱନଙ୍କ ନେତୃତ୍ୱଧୀନ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବ।

ଉଭୟ ଦଳ ଏପର୍ଯ୍ୟନ୍ତ ୩ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ବରଣ କରିଛନ୍ତି। ଉଭୟ ଦଳ ସମାନ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଗୁଜରାଟ ଚତୁର୍ଥ ଏବଂ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି। ବିଶେଷ କରି ଗୁଜରାଟର ତୃତୀୟ ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ମ୍ୟାଚ୍‌ ଖେଳି ନ ଥିଲେ। ହେଲେ ପଞ୍ଜାବ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ହାର୍ଦ୍ଧିକ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷେ ମୋହିତ ଶର୍ମା ଗୁଜୁରାଟ ଟାଇଟାନ୍ସ ପାଇଁ ଡେବ୍ୟୁ କରିଛନ୍ତି। ଏନେଇ ତାଙ୍କୁ ସାଥୀ ଖେଳାଳି ଅଭିନନ୍ଦନ ଜଣାଇବା ସହ ସ୍ବାଗତ କରିଛନ୍ତି।

ପୂର୍ବରୁ ଉଭୟ ଦଳ ଆଇପିଏଲ୍‌ରେ ୨ ଥର ମୁହାଁମୁହିଁ ହୋଇଥିଲା ବେଳେ ଥରେ ଲେଖାଏଁ ବିଜୟ ଓ ପରାଜୟର ସ୍ବାଦ ଅନୁଭବ କରିଛନ୍ତି। ଏହି ଦୁଇ ଥର ମୁହାଁମୁହିଁ ବେଳେ ପଞ୍ଜାବର ସର୍ବାଧିକ ଦଳୀୟ ସ୍କୋର୍‌ ୧୮୯/୯ ରହିଥିଲା ବେଳେ ଗୁଜରାଟର ୧୯୦/୪ ରହିଛି। ଆଇପିଏଲ୍‌ରେ ମୋଟଉପରେ ପଞ୍ଜାବ ୨୨୧ ମ୍ୟାଚ୍‌ ଖେଳିଥିଲା ବେଳେ ଗୁଜରାଟ ମାତ୍ର ୧୯ ମ୍ୟାଚ୍‌ ଖେଳିଛି। ପଞ୍ଜାବ ୧୦୩ ବିଜୟ ଏବଂ ୧୧୮ ପରାଜୟ ବରଣ କରିଥିଲା ବେଳେ ଗୁଜରାଟ ୧୪ ବିଜୟ ଓ ୫ ପରାଜୟ ବରଣ କରିଛି। ଆଇପିଏଲ୍‌ରେ ପଞ୍ଜାବର ସର୍ବାଧିକ ଦଳଗତ ସ୍କୋର୍‌ ୨୩୨/୨ ରହିଥିଲା ବେଳେ ଗୁଜରାଟର ୨୦୪/୪ ରହିଛି।

ସମ୍ଭାବ୍ୟ ଗୁଜରାଟ ଟାଇଟନ୍ସ : ରିଦ୍ଧିମାନ ଶାହା (ୱିକେଟ୍‌ରକ୍ଷକ), ଶୁବମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦିକ୍‌ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍‌ ମିଲର, ରାହୁଲ ତିୱାତିଆ, ରସିଦ୍‌ ଖାନ୍‌, ଅଲ୍‌ଜେରି ଯୋଶେଫ, ମହମ୍ମଦ ସାମି, ଆର୍‌ ସାଇ କିଶୋର, ଜୋସ୍‌ ଲିଟଲ୍‌।

ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍‌ସ : ପ୍ରଭ୍‌ସିମ୍ରନ ସିଂହ, ଶିଖର ଧ୍ବାୱନ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ଭାନୁକା ରାଜପକ୍ଷ, ଲିଆମ ଲିଭିଙ୍ଗଷ୍ଟୋନ, ସାମ୍‌ କରନ, ଏମ୍‌ ଶାହରୁଖ ଖାନ୍‌, ହର୍‌ପ୍ରୀତ୍‌ ବ୍ରାର, ନାଥନ ଏଲିସ/କାଗିସୋ ରବାଦା, ରାହୁଲ ଚହର, ଅର୍ଶଦୀପ ସିଂହ, ରିଷି ଧାୱନ।

Exit mobile version