Site icon ଆଜିକାଲି

ଗୁଲଜାର ଓ ସଂସ୍କୃତ ପଣ୍ଡିତ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ଖ୍ୟାତନାମା ଗୀତିକାର ତଥା ଉର୍ଦ୍ଦୁ କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜ୍ଞାନପୀଠ ଚୟନ କମିଟି ଏନେଇ ଘୋଷଣା କରିଛି।

ଗୁଲଜାର ହିନ୍ଦୀ ସିନେମାରେ ନିଜ କାର୍ଯ୍ୟ ପାଇଁ ଜଣାଶୁଣା । ଏହାଛଡ଼ା ସେ ଜଣେ ପ୍ରଥିତଯଶା ଉର୍ଦ୍ଦୁ କବି । ଉର୍ଦ୍ଦୁ ସାହିତ୍ୟ ପ୍ରତି ଅବଦାନ ପାଇଁ ଗୁଲଜାରଙ୍କୁ ୨୦୦୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୧୩ରେ ତାଙ୍କୁ ଦେଶର ସର୍ବୋଚ୍ଚ ଫିଲ୍ମ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଗୁଲଜାର ୨୦୦୪ରେ ପଦ୍ମ ଭୂଷଣ ସମ୍ମାନ ପାଇଥିଲେ। ସେ ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି।

ଚିତ୍ରକୁଟ ତୁଳସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ, ଶିକ୍ଷକ ଓ ୧୦୦ରୁ ଅଧିକ ପୁସ୍ତକର ଲେଖକ।

ଜ୍ଞାନପୀଠ ଚୟନ କମିଟି ଏକ ବିବୃତ୍ତିରେ କହିଛି, ଦୁଇ ଭାଷାର ବିଶିଷ୍ଟ ଲେଖକ – ସଂସ୍କୃତ ସାହିତ୍ୟିକ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ପ୍ରସିଦ୍ଧ ଉର୍ଦ୍ଦୁ ସାହିତ୍ୟିକ ଗୁଲଜାରଙ୍କୁ ଏହି ପୁରସ୍କାର (୨୦୨୩ ପାଇଁ) ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୨ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ଗୋଆନ୍ ଲେଖକ ଦାମୋଦର ମାଭଜୋଙ୍କୁ ପ୍ରଦାନ କରାଯାଇଥିଲା |

Exit mobile version