ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବାବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
କିସ୍ତଓ୍ବାରର ଏକ ଜଙ୍ଗଲ ଅଞ୍ଚଳରେ ଗତ ଶନିବାର ଆତଙ୍କବାଦୀମାନେ ୨ ଜଣ ଗ୍ରାମ୍ୟ ପ୍ରତିରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ସେନାର ଏକ ଟିମ୍ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ରବିବାର ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ସହିତ ଯବାନମାନେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ଜଣେ ସେନା ଅଧିକାରୀ ରାକେଶ କୁମାର ସହିଦ ହୋଇଥିଲେ। ଆହତ ହୋଇଥିବା ଅନ୍ୟ ୩ ଜଣ ଯବାନଙ୍କର ଚିକିତ୍ସା ଚାଲିଛି।