Site icon ଆଜିକାଲି

ଜ୍ଞାନବାପି ମସଜିଦ ମାମଲା: ସର୍ଭେ ରିପୋର୍ଟ ଦାଖଲ କଲା ଏଏସ୍ଆଇ

ବାରାଣସି : ଜ୍ଞାନବାପି ମସଜିଦ ପରିସରରେ ହୋଇଥିବା ବୈଜ୍ଞାନିକ ସର୍ଭେର ରିପୋର୍ଟକୁ ସୋମବାର କୋର୍ଟରେ ଦାଖଲ କରିଛି ଏଏସ୍ଆଇ । ଏଏସ୍ଆଇ ଏକ ବନ୍ଦ ଲଫାପାରେ ଏହି ରିପୋର୍ଟ ଦାଖଲ କରିଛି। ଏହି ମାମଲାରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଡିସେମ୍ବର ୨୧ରେ ଆବେଦନକାରୀଙ୍କୁ ଏଏସ୍ଆଇ ସର୍ଭେ ରିପୋର୍ଟର କପି ଦିଆଯିବ |

ଏହା ପୂର୍ବରୁ ସର୍ଭେ ରିପୋର୍ଟ ଦାଖଲ ସମୟ ଚାରି ଥର ବୃଦ୍ଧି କରାଯାଇଥିଲା। କୋର୍ଟରେ ଏହି ମାମଲାର ଶୁଣାଣି ପୂର୍ବରୁ ସର୍ଭେ ରିପୋର୍ଟକୁ ବନ୍ଦ ଲଫାପାରେ ଦାଖଲ କରିବାକୁ ଦାବି କରିଥିଲା ମୁସଲିମ ପକ୍ଷ। ଅନ୍ୟପକ୍ଷରେ ଆହ୍ଲାବାଦ ହାଇକୋର୍ଟରେ ଦାଖଲ ଆବେଦନ ଗୁଡ଼ିକର ଶୁଣାଣି ପରେ ଡିସେମ୍ବର ୮ରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ।

ଜ୍ଞାନବାପି ମସଜିଦ ପରିସରରେ ସର୍ଭେ ପାଇଁ ବାରାଣାସୀ କୋର୍ଟ ଜୁଲାଇ ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୩ ସୁଦ୍ଧା ତଦନ୍ତ ଶେଷ କରି ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା | ତେବେ ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିବା ପରେ ସର୍ଭେ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଥରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ଦ ହୋଇଥିବା ବାଜୁଖାନା ଅଞ୍ଚଳ ବ୍ୟତୀତ ମସଜିଦ୍ ପରିସର ସ୍ଥିତ ଅବଶିଷ୍ଟ ସ୍ଥାନରେ ସର୍ଭେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଏସ୍ଆଇ ବ୍ୟତୀତ ସର୍ଭେ କାର୍ଯ୍ୟରେ ପ୍ରତ୍ନତତ୍ତ୍ୱବିତ୍, ରସାୟନ ବିଜ୍ଞାନୀ, ଭାଷା ବିଶେଷଜ୍ଞ, ସର୍ବେକ୍ଷଣକାରୀ ଏବଂ ଆଇଆଇଟି ସହାୟତା ମଧ୍ୟ ନିଆଯାଇଥିଲା। ସର୍ଭେରେ ଆଧୁନିକ ଟେକ୍ନୋଲୋଜି ମଧ୍ୟ ବ୍ୟବହୃତ ହୋଇଥିଲା |

Exit mobile version