Site icon ଆଜିକାଲି

ଭାରତରେ ଦୁଇଜଣଙ୍କ ମୁଣ୍ଡ ନେଲା ଏଚ୍୩ଏନ୍୨ ଭାଇରସ

ନୂଆଦିଲ୍ଲୀ: ଭାରତରେ ଏଚ୍୩ଏନ୍୨ ଭାଇରସ ଜନିତ ଇନ୍‌ଫ୍ଲୁଏଞ୍ଜା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ହରିୟାଣା ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ହାସନରେ ଜଣେ ୮୨ ବର୍ଷୀୟ ସଂକ୍ରମିତ ଦେଶର ପ୍ରଥମ ବ୍ୟକ୍ତି ଭାବେ ଏଚ୍୩ଏନ୍୨ରେ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, କିରାଏ ଗୌଡା ନାମକ ଏହି ବୟସ୍କ ବ୍ୟକ୍ତିଙ୍କୁ ଫେବୃଆରୀ ୨୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମାର୍ଚ୍ଚ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ଥିଲା।

ଦେଶରେ ଏଯାବତ୍ ‘ଏଚ୍୩ଏନ୍୨’ର ପ୍ରାୟ ୯୦ଟି ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି। ଏହାଛଡ଼ା ୮ଟି ଏଚ୍୧ଏନ୍୧ ମାମଲା ମଧ୍ୟ ରିପୋର୍ଟ ହୋଇଛି। ଗତ କିଛି ମାସ ମଧ୍ୟରେ ଦେଶରେ ଫ୍ଲୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଏଚ୍୩ଏନ୍୨ ସଂକ୍ରମିତ, ଯାହାକୁ ‘ହଂକଂ ଫ୍ଲୁ’ ମଧ୍ୟ କୁହାଯାଏ। ଦେଶର ଅନ୍ୟ ଇନ୍‌ଫ୍ଲୁଏଞ୍ଜା ସବ୍ ଭାରିଆଣ୍ଟ ଅପେକ୍ଷା ଏହି ଭୂତାଣୁ ଅଧିକ ଶକ୍ତିଶାଳୀ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କେବଳ ଏଚ୍୩ଏନ୍୨ ଏବଂ ଏଚ୍୧ଏନ୍୧ ସଂକ୍ରମଣ ଚିହ୍ନଟ ହୋଇଛି | ଉଭୟଙ୍କର କୋଭିଡ ଭଳି ଲକ୍ଷଣ ଅଛି, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି | କୋଭିଡ୍-୧୯ ମହାମାରୀର ଦୁଇ ବର୍ଷ ପରେ ଫ୍ଲୁ ଜନିତ ସଂକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଉଭୟ ଏଚ୍୩ଏନ୍୨ ଓ ଏଚ୍୧ଏନ୍୧ ଅତ୍ୟଧିକ ସଂକ୍ରାମକ । ସଂକ୍ରମିତ ବ୍ୟକ୍ତି କାଶିବା ଓ ଛିଙ୍କିବା ଦ୍ବାରା ତାଙ୍କ ପାଟି ଓ ନାକରୁ ବାହାରୁଥିବା କ୍ଷୁଦ୍ର ଜଳକଣିକା ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ। ସଂକ୍ରମଣରୁ ବଞ୍ଚିବା ପାଇଁ ନିୟମିତ ହାତ ଧୋଇବା ଏବଂ ମାସ୍କ ପିନ୍ଧିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଛିଙ୍କିବା ଏବଂ କାଶ କରିବା ସମୟରେ ପାଟି ଓ ନାକ ଘୋଡାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଇଣ୍ଡିଆନ୍ ଆଇସିଏମ୍ଆର ।

Exit mobile version