Site icon ଆଜିକାଲି

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା, ଏହି ଅପରାଧ ପାଇଁ ହେଲେ ଦଣ୍ଡିତ

ମୋହାଲି: ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଆଇପିଏଲରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ରେଟ୍ ଯୋଗୁଁ ତାଙ୍କୁ ଏହି ଅର୍ଥ ଦଣ୍ଡ ମିଳିଛି ।

ଆଇପିଏଲର ଏକ ବିବୃତ୍ତି ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେ ଚଳିତ ସିଜନରେ ପ୍ରଥମ ଥର ପାଇଁ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଗତ ରାତିର ମ୍ୟାଚରେ ସେ ଓଭର ରେଟ୍ ବଜାୟ ରଖି ନଥିଲେ । ଏହି କାରଣରୁ ସେ ଆଚରଣ ବିଧି ଉଲଙ୍ଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଆଇପିଏଲରେ ତୃତୀୟ ଅଧିନାୟକ ଯିଏକି ମନ୍ଥର ଓଭର ରେଟ୍ ପାଇଁ ଦଣ୍ଡିତ ହୋଇଛନ୍ତି । ପୂର୍ବରୁ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ୍ ଓ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନଙ୍କ ଉପରେ ମଧ୍ୟ ସମାନ ଅପରାଧ ପାଇଁ ଜରିମାନା ଲଗାଯାଇଥିଲା । ଡୁପ୍ଲେସିସଙ୍କୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଥିବା ବେଳେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ସାମସନ ଏହି ଅପରାଧ ପାଇଁ ଆର୍ଥିକ ଦଣ୍ଡରେ ଦଣ୍ଡିତ ହୋଇଥିଲେ ।

ଗୁରୁବାର ରାତିରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ ୬ ୱିକେଟରେ ଜିତିଥିଲା । ଚଳିତ ସିଜନରେ ଗୁଜରାଟର ଏହା ତୃତୀୟ ବିଜୟ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍ସର ଦ୍ୱିତୀୟ ପରାଜୟ ଥିଲା। ଏହି ବିଜୟ ପରେ ଗୁଜରାଟ ଟାଇଟନ୍ସ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ପଞ୍ଜାବ ଦଳ ୪ଟି ମ୍ୟାଚରେ ୨ଟି ବିଜୟ ଏବଂ ୨ଟି ପରାଜୟ ପରେ ଷଷ୍ଠ ସ୍ଥାନରେ ରହିଛି। ଗତକାଲି ରାତିରେ ପଞ୍ଜାବ ବିପକ୍ଷ ମ୍ୟାଚରେ ଗୁଜୁରାଟର ଫିନିସର ରାହୁଲ ତେୱାତିଆ ଶେଷ ବଲରେ ଚୌକା ମାରି ତାଙ୍କ ଦଳକୁ ଜିତାଇଥିଲେ। ଗୁଜରାଟ ପରବର୍ତ୍ତୀ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ଭେଟିବାକୁ ଥିବା ବେଳେ ପଞ୍ଜାବ ଶନିବାର ଲକ୍ଷ୍ନୌକୁ ଭେଟିବ ।

Exit mobile version