Site icon ଆଜିକାଲି

ନୁହକୁ ପୁଣି ଫେରିଲା କଟକଣା; ଆଲର୍ଟରେ ହରିୟାଣା ପୋଲିସ, ପଡ଼ୋଶୀ ରାଜ୍ୟକୁ ବି ମାଗିଲେ ସାହାଯ୍ୟ

ନୂଆଦିଲ୍ଲୀ: ନୁହ ହିଂସା ପରେ ହରିୟାଣା ପୋଲିସ ପାଦେ ପାଦେ ସତର୍କତା ଅବଲମ୍ୱନ କରୁଛି । ନୁହରେ ପୁଣି ଥରେ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଅନୁମତି ଦିଆଯାଇ ନଥିବା ପୋଲିସ ଶନିବାର କହିଛି । ପୋଲିସକୁ ଗୁଇନ୍ଦା ରିପୋର୍ଟ ମିଳିଛି ଯେ କିଛି ସଂଗଠନ ଆବଶ୍ୟକୀୟ ଅନୁମତି ବିନା ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଯୋଜନା କରୁଛନ୍ତି । ଏହି ସଂଗଠନ ଅଗଷ୍ଟ ୨୮ରେ ପୁଣି ଥରେ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ହରିୟାଣା ଏବଂ ବାହାରରୁ ଲୋକଙ୍କୁ ନୁହ ଆସିବା ପାଇଁ ଆମନ୍ତ୍ରିତ କରିଛନ୍ତି । ଏହି କାରଣରୁ ଜିଲ୍ଲାରେ ଧାରା-୧୪୪ ଲାଗୁ କରାଯାଇଛି । ପୋଲିସ ପଡୋଶୀ ରାଜ୍ୟର ଅଧିକାରୀଙ୍କୁ ମଧ୍ୟ ସାହାଯ୍ୟ ମାଗିଛି ।

ହରିୟାଣା ପୋଲିସ ମହାନିର୍ଦ୍ଦେଶକ ଶତ୍ରୁଜିତ୍ କପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା କହିଛନ୍ତି । ଏହାସହ ଘୃଣା ଭାଷଣ ଜରିଆରେ ଶାନ୍ତି ଭଙ୍ଗ ଉଦ୍ୟମ କରୁଥିବା ଲୋକଙ୍କ ବିଷୟରେ ସୂଚନା ଆଦାନ-ପ୍ରଦାନ ପାଇଁ ସୀମାବର୍ତ୍ତୀ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ସ୍ଥିତିକୁ ପ୍ରଭାବୀ ରୂପେ ମୁକାବିଲା କରିବା ପାଇଁ ସମନ୍ୱିତ ପ୍ରୟାସ ପାଇଁ ଆହ୍ୱାନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଚଣ୍ଡିଗଡର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

Exit mobile version