Site icon ଆଜିକାଲି

ହରିୟାଣା ହିଂସାରେ ମୃତ୍ୟୁସଂଖ୍ୟା ଚାରିକୁ ବୃଦ୍ଧି, ନୁହରେ ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଶୋଭାଯାତ୍ରା ବେଳେ ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ରାଜ୍ୟର ଅନ୍ୟ ୪ ଜିଲ୍ଲାକୁ ବ୍ୟାପିଛି । ହିଂସାରେ ଏପର୍ଯ୍ୟନ୍ତ ମୋଟ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ନୁହ ଜିଲ୍ଲାର ମେୱାଟ ସହର ସହ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଗୁରୁଗ୍ରାମ ସମେତ ହିଂସା ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି। ହିଂସା ପ୍ରଭାବିତ ଜିଲ୍ଲା ଗୁଡିକରେ ସ୍କୁଲ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହରିୟାଣା ସରକାର ।

ନୁହରେ ହିଂସା ପରେ ଗୁରୁଗ୍ରାମର ସେକ୍ଟର-୫୭ରେ ଉତ୍ତ୍ୟକ୍ତ ଭିଡ଼ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ମସଜିଦକୁ ଜାଳି ଦିଆଯାଇଥିଲା । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଧାରା ୧୪୪ ଜାରି କରାଯାଇଛି |

ହରିୟାଣାର ନୁହ ଜିଲ୍ଲାର ଶୋଭା ଯାତ୍ରା ସମୟରେ ଘଟିଥିବା ହିଂସାରେ ଦୁଇ ଜଣ ହେମଗାର୍ଡଙ୍କ ମୃତ୍ୟୁ ହୋଇଥିଲା । ମୃତକ ହୋମଗାର୍ଡ ହେଲେ ନୀରଜ ଏବଂ ଗୁରୁଦେବ । ହିଂସାରେ ନିହତ ଚତୁର୍ଥ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନୁହରେ ଘଟିଥିବା ହିଂସା ସମୟରେ ଆହତ ୨୩ ଜଣଙ୍କ ମଧ୍ୟରେ ୧୦ ଜଣ ପୋଲିସ ଅଛନ୍ତି। ପୋଲିସ ଏହି ମାମଲାରେ ୧୧ଟି ଏଫ୍ଆଇଆର୍ ରୁଜୁ କରିଥିବା ବେଳେ ୨୭ ଜଣଙ୍କୁ ଅଟକ ରଖିଛି। ହିଂସାରେ ପ୍ରାୟ ୫୦ଟି ଗାଡ଼ି ପୋଡ଼ି ଦିଆଯାଇଛି।

ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ହରିୟାଣାର ନୁହରେ ଅର୍ଦ୍ଧସାମରିକ ବାହିନୀର ୧୫ଟି କମ୍ପାନୀଙ୍କୁ ମୁତୟନ କରାଯାଇଛି। ହିଂସା ବ୍ୟାପୁଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହିଂସା ପ୍ରଭାବିତ ଅଞ୍ଚଳକୁ ଅର୍ଦ୍ଧସାମରିକ ବାହିନୀ ପଠାଇଛନ୍ତି ।

ବିଜେପି ଶାସିତ ହରିୟାଣାରେ ହିଂସା ଘଟଣାରେ ବିରୋଧୀ ଖଟ୍ଟର ସରକାରଙ୍କୁ ଘେରିଛନ୍ତି । ଆମ୍ ଆଦମୀ ପାର୍ଟି ହରିୟାଣାର ନୁହ ଏବଂ ମେୱାଟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପାଇଁ ଖଟ୍ଟର ସରକାରଙ୍କୁ ଦାୟୀ କରିଛି । ଦଳ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି। ଆପ୍ ରାଜ୍ୟ ସଭାପତି ସୁଶୀଲ ଗୁପ୍ତା କହିଛନ୍ତି, ଗୁଜବ ପ୍ରତି ଧ୍ୟାନ ନ ଦେଇ ଶାନ୍ତି ବଜାୟ ରଖିବା ପାଇଁ ସେ ହରିୟାଣାର ଲୋକଙ୍କୁ ନିବେଦନ କରୁଛନ୍ତି । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଖଟ୍ଟର ସାହେବ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଉଭୟ ହରିୟାଣାରେ ଏବଂ କେନ୍ଦ୍ରରେ ବିଜେପି ସରକାର ଅଛି । ତଥାପି ସେମାନେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ହରିୟାଣା ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ମଣିପୁର ପରେ ‘ଡବଲ ଇଞ୍ଜିନ’ ସରକାରର ବିଫଳତାର ଆଉ ଏକ ଉଦାହରଣ ହେଉଛି ହରିୟାଣା ହିଂସା। ସରକାର ରୂପରେ ବିଜେପିର ଇଞ୍ଜିନ ଫେଲ୍ ମାରିଛି।

Exit mobile version