Site icon ଆଜିକାଲି

ବାଂଲାଦେଶ ଫେରିବେ ହସିନା, ରାଜନୀତିକୁ ଆସିବେ ପୁଅ ଓ୍ବାଜେଦ ଜୟ

ନୂଆଦିଲ୍ଲୀ : ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଭବନ ଏବଂ ତାଙ୍କ ଦଳ ଆଓ୍ବାମୀ ଲିଗ୍‌ର ନେତାମାନଙ୍କ ଉପରେ ଆକ୍ରମଣ ଯୋଗୁ ହସିନା ଦେଶ ଛାଡ଼ି ଭାରତରେ ଅଛନ୍ତି। କିନ୍ତୁ ସେ ଖୁବଶୀଘ୍ର ବାଂଲାଦେଶ ଫେରିବେ ବୋଲି କହିଛନ୍ତି ଓ୍ବାଶିଂଟନରେ ରହୁଥିବା ତାଙ୍କ ପୁଅ ସଜୀବ ସ୍ଵାଜେଦ ଜୟ। ଏପରି କି ଦଳ ଏବଂ ଦଳୀୟ କର୍ମୀଙ୍କ ସୁରକ୍ଷା ପାଇଁ ସେ ନିଜେ ରାଜନୀତିରେ ପାଦ ଦେବେ ବୋଲି ଜୟ କହିଛନ୍ତି। ତାଙ୍କ ମା’ ହସିନାଙ୍କର କୌଣସି ଦେଶରେ ରାଜନୈତିକ ଆଶ୍ରୟ ନେବାର କୌଣସି ଯୋଜନା ନାହିଁ। ବାଂଲାଦେଶରେ ନେତୃତ୍ଵର ଅଭାବ ରହିଛି। ତେଣୁ ସେ ଦେଶ ପାଇଁ ଯାହା ଦରକାର ପଡ଼ିବ ତାହା କରିବେ ବୋଲି କହିବା ସହିତ ଷଡ଼ଯନ୍ତ୍ର କରି କ୍ଷମତାକୁ ଆସିଥିବା ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ଓ ଜମାତ୍‌ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ରାଜନୈତିକ ଅସ୍ଥିରତା ସମୟରେ ହସିନାଙ୍କୁ ଭାରତରେ ରହିବାକୁ ଅନୁମତି ଦେଇଥିବାରୁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା ବି କରିଛନ୍ତି।

ଜୟ କହିଛନ୍ତି, ତାଙ୍କ ମା’ ହସିନା ଚଳିତ କାର୍ଯ୍ୟକାଳ ପରେ ରାଜନୀତିରୁ ଅବସର ନେଇଥାଆନ୍ତେ। ରାଜନୀତି କରିବାକୁ ତାଙ୍କର କୌଣସି ରୁଚି ନ ଥିଲା। କିନ୍ତୁ ବାଂଲାଦେଶରେ ଯାହା ସବୁ ଚାଲିଛି ତାହାକୁ ଦେଖି ସେ ବର୍ତ୍ତମାନ ଆଗକୁ ଆସିବା ଦରକାର ବୋଲି କହିଛନ୍ତି। ତାଙ୍କ ଦଳ ଆଓ୍ବାମୀ ଲିଗ୍‌ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବ ଏବଂ ଜିତିବାର ସମ୍ଭାବନା ମଧ୍ୟ ରହିଛି। ବାଂଲାଦେଶରେ ତାଙ୍କ ଦଳର ସର୍ବାଧିକ ସମର୍ଥକ ରହିଛନ୍ତି। ଅନ୍ତରୀଣ ସରକାର ପୁନର୍ବାର ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ ତାଙ୍କ ମା’ ବାଂଲାଦେଶ ଫେରିବେ ବୋଲି ଜୟ କହିଛନ୍ତି।

Exit mobile version