Site icon ଆଜିକାଲି

ମହିଳା ଟେଷ୍ଟ କ୍ରିକେଟରେ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ, ଇଂଲଣ୍ଡକୁ ୩୪୭ ରନରେ ମାତ୍ ଦେଲା ଭାରତ

ମୁମ୍ବାଇ – ମହିଳା ଟେଷ୍ଟ କ୍ରିକେଟ ଇତିହାସରେ ବୃହତ ରନ୍ ବ୍ୟବଧାନରେ ବିଜୟ । ଆଉ ଏହି ରେକର୍ଡ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ । ତାହା ପୁଣି ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ। ମୁମ୍ବାଇରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟରେ ଭାରତ ଇଂଲଣ୍ଡକୁ ୩୪୭ ରନରେ ମାତ୍ ଦେଇଛି । ରନ୍ ଦୃଷ୍ଟିରୁ ମହିଳା ଟେଷ୍ଟ କ୍ରିକେଟରେ ଏହା ହେଉଛି ବୃହତ ବିଜୟ ବ୍ୟବଧାନ।

ଆଜି ମ୍ୟାଚର ତୃତୀୟ ଦିନରେ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୬ ୱିକେଟରେ ୧୮୬ ରନରେ ସମାପ୍ତି ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳଠୁ ୨୯୨ ରନରେ ଆଗୁଆ ଥିବା ଭାରତ ଇଂଲଣ୍ଡ ପାଇଁ ୪୭୯ ରନର ଅସମ୍ଭବ ବିଜୟ ଲକ୍ଷ୍ୟ ରଖିଥିଲା । କିନ୍ତୁ ଭାରତୀୟ ବୋଲରମାନେ ଇଂଲଣ୍ଡର ଦ୍ୱିତୀୟ ଇନିଂସକୁ ମାତ୍ର ୧୩୧ ରନରେ ସୀମିତ ରଖିଥିଲେ । ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୪ଟି ୱିକେଟ ନେଇଥିଲା ବେଳେ ପୂଜା ଭସ୍ତ୍ରାକର ୩ଟି, ରାଜେଶ୍ୱର ଗାଏକୱ।ଡ୍ ୨ଟି ଓ ରେଣୁକା ସିଂହ ଗୋଟିଏ ୱିକେଟ ନେଇଥିଲେ । ଏହି ଚାରିଦିନିଆ ଟେଷ୍ଟ ମ୍ୟାଚର ଆହୁରି ଦେଢ ଦିନରୁ ଅଧିକ ସମୟ ଥିବାବେଳେ ଭାରତ ବୃହତ ବିଜୟ ହାସଲ କରିଛି ।

ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ କହିଲା ପରେ ପ୍ରଥମ ଇନିଂସରେ ୪୨୮ ରନ୍ କରିଥିଲା ଭାରତ । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୩୬ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ୨୯୨ ରନରେ ଆଗୁଆ ରହିଥିଲା ଭାରତ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ମାତ୍ର ୭ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ ନେଇଥିଲେ। ଭାରତର ପ୍ରଥମ ଇନିଂସରେ ମୂଲ୍ୟବାନ ଅର୍ଦ୍ଧ ଶତକ ସହ ମ୍ୟାଚରେ ମୋଟ ୯ଟି ୱିକେଟ ନେଇଥିବା ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Exit mobile version