Site icon ଆଜିକାଲି

ସୁପ୍ରିମକୋର୍ଟରେ ପୁଣି ହିଜାବ ମାମଲା, ଆବେଦନର ଶୁଣାଣି ପାଇଁ ପ୍ରଧାନ ବିଚାରପତି ରାଜି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ହିଜାବ ମାମଲାର ଜରୁରୀ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏହି ମାମଲାକୁ ସେ ତିନିଜଣିଆ ଖଣ୍ଡପୀଠକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ବିଭାଜିତ ରାୟ ଦେଇଥିଲା।

ଓକିଲ ମୀନାକ୍ଷୀ ଆରୋରା ସୁପ୍ରିମକୋର୍ଟଙ୍କ ସମ୍ମୁଖରେ କର୍ଣ୍ଣାଟକର କିଛି ମୁସଲିମ ଛାତ୍ରୀଙ୍କ ସମସ୍ୟା ବର୍ଣ୍ଣନା କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ହିଜାବ ମାମଲାର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି । ମୀନାକ୍ଷୀ ଆରୋରା କହିଥିଲେ ଯେ କର୍ଣ୍ଣାଟକ ସରକାର ସ୍କୁଲ ଓ କଲେଜରେ ହିଜାବ ଉପରେ କଟକଣା ଲଗାଇଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ହାଇକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହି ମୁସଲିମ ଝିଅମାନଙ୍କ ପରୀକ୍ଷା ରହିଛି । ତେଣୁ ଏହି ମାମଲାର ଜରୁରୀ ଶୁଣାଣି କରାଯିବା ଉଚିତ ଯାହା ଫଳରେ ସେମାନେ ପରୀକ୍ଷାରେ ବସିପାରିବ।

ଆରୋରା କହିଛନ୍ତି ଯେ ହିଜାବ ବିବାଦ ଯୋଗୁଁ ମୁସଲିମ ଛାତ୍ରୀମାନଙ୍କ ପୂର୍ବରୁ ଗୋଟିଏ ବର୍ଷ ନଷ୍ଟ ହୋଇସାରିଛି । ଆବେଦନକାରୀ ଝିଅମାନଙ୍କ ଯୁକ୍ତିକୁ ସମର୍ଥନ କରି ସେ କହିଛନ୍ତି ଯେ ହିଜାବ କଟକଣା ଯୋଗୁଁ ସେମାନେ ଘରୋଇ ଶିକ୍ଷାନୁଷ୍ଠାନରେ ଆଡ଼ମିଶନ ନେଇଥିଲେ ‌। କିନ୍ତୁ ସେମାନଙ୍କୁ ସରକାରୀ କଲେଜରେ ହିଁ ପରୀକ୍ଷା ଦେବାକୁ ପଡ଼ିବ । କାରଣ ଘରୋଇ କଲେଜ ପରୀକ୍ଷା କରିପାରିବେ ନାହିଁ। ଯଦି ହିଜାବ ଉପରେ କଟକଣା ବଳବତ୍ତର ରହେ ତେବେ ସେ କିପରି ପରୀକ୍ଷା ଦେଇପାରିବ? ଏହି ମାମଲାରେ ତୁରନ୍ତ ନ୍ୟାୟ ଦିଆଯାଉ ବୋଲି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅପିଲ କରିଥିଲେ।

ଛାତ୍ରୀର ଆବେଦନକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି କହିଛନ୍ତି ଯେ ତାଙ୍କ ସମସ୍ୟା ସେ ବୁଝୁଛନ୍ତି। ଏପରି ପରିସ୍ଥିତିରେ ଏହି ମାମଲାର ତୁରନ୍ତ ଶୁଣାଣି କରିବାର ଆବଶ୍ୟକତା ରହିଛି | ସେ ତିନିଜଣିଆ ଖଣ୍ଡପୀଠ ଆଗରେ ଏହି ମାମଲା ଲିଷ୍ଟ କରିବେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି।

Exit mobile version