Site icon ଆଜିକାଲି

ଗୁଜରାଟରେ ବିଜେପିର ରେକର୍ଡ ବିଜୟ, ହିମାଚଳରେ ସରକାର ପରିବର୍ତ୍ତନର ପରମ୍ପରା କାଏମ, କଂଗ୍ରେସର ବାଜିମାତ୍

ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ରେକର୍ଡ ବିଜୟ ସହ ଲଗାତାର ସପ୍ତମ ଥର ସରକାର ଗଢ଼ିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଜ୍ୟରେ ବିଜେପି ମୋଟ ୧୮୨ ଆସନ ମଧ୍ୟରୁ ୧୫୦ରୁ ଅଧିକ ଆସନ କବଜା କରି ଇତିହାସ ରଚିଛି । ଏଥିସହ ଦଳ କଂଗ୍ରେସର ରେକର୍ଡ ଭାଙ୍ଗିଛି । ମାଧବସିଂହ ସୋଲାଙ୍କିଙ୍କ ନେତୃତ୍ବରେ କଂଗ୍ରେସ ୧୯୮୫ ନିର୍ବାଚନରେ ୧୪୯ଟି ଆସନ ଜିତିଥିଲା ।

ସଦ୍ୟତମ ଟ୍ରେଣ୍ଡ ମୁତାବକ ୧୮୨ଟି ଆସନ ମଧ୍ୟରୁ ବିଜେପି ୨୦ଟିରେ ଜିତି ସାରିଥିବାବେଳେ ୧୩୮ଟି ଆସନରେ ଆଗୁଆ ରହିଛି । ଗୈରିକ ଦଳକୁ ମୋଟ ୧୫୮ଟି ଆସନ ମିଳିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ୨ଟି ସିଟ୍ ଜିତିଥିବା ବେଳେ ୧୪ ଟି ଆସନରେ ଅଗ୍ରଣୀ ରହିଛି । ଆମ୍ ଆଦମୀ ପାର୍ଟି ଯେମିତି ଦାବି କରିଥିଲା ସେମିତି ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ୫ଟି ଆସନରେ ଅଗ୍ରଣୀ ରହିଛି | ସମାଜବାଦୀ ପାର୍ଟି ଗୋଟିଏ ଆସନରେ ଆଗରେ ରହିଛି। ସ୍ୱାଧୀନ ପ୍ରାର୍ଥୀଙ୍କୁ ଦୁଇଟି ଆସନ ଯାଇଛି । ବିପୁଳ ବିଜୟ ପରେ ଗୁଜରାଟରେ ଏହାର ନୂଆ ସରକାରର ଶପଥ ଗ୍ରହଣ ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ ବୋଲି ବିଜେପି କହିଛି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ​​ବିଜେପି ୯୯ଟି ଆସନ ଜିତିଥିଲା ​​ବେଳେ କଂଗ୍ରେସ ୭୭ଟି ଆସନ ପାଇଥିଲା।

ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ପରାଜୟର ସମ୍ମୁଖୀନ ହୋଇଛି । ସରକାର ପରିବର୍ତ୍ତନର ପରମ୍ପରାକୁ ରାଜ୍ୟବାସୀ ବଜାୟ ରଖିଛନ୍ତି । ହିମାଚଳ ପ୍ରଦେଶ ନିର୍ବାଚନରେ ​​କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମୋଟ ୬୮ ଆସନରୁ କଂଗ୍ରେସ ଏଠାରେ ୩୮ଟି ଆସନରେ ଆଗୁଆ ରହି ସରକାର ଗଢ଼ିବା ଆଡ଼କୁ ଅଗ୍ରସର ହେଉଛି । ବିଜେପି ୨୭ ଟି ଆସନରେ ଆଗୁଆ ରହି କ୍ଷମତାରୁ ବିଦା ହେବାକୁ ଯାଉଛି। ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଅଗ୍ରଣୀ ରହିଛନ୍ତି । ହିମାଚଳରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୩୫ | ୨୦୧୭ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ହିମାଚଳ ବିଧାନସଭାର ୬୮ ଟି ସିଟ୍ ମଧ୍ୟରୁ ବିଜେପି ୪୪ ଟି ସିଟ୍ ଜିତିଥିଲା । କଂଗ୍ରେସ ୨୧ଟି ଆସନ ପାଇଥିଲା।

Exit mobile version