Site icon ଆଜିକାଲି

ହକି ମହାସମର : ପ୍ରଥମ ଦିନରେ ଖେଳାଯିବ ୪ଟି ମ୍ୟାଚ୍, ରାଉରକେଲାରେ ଭାରତ-ସ୍ପେନ ଉଦ୍‌ଘାଟନୀ ମୁକାବିଲା

ଭୁବନେଶ୍ୱର : ହକିପ୍ରେମୀଙ୍କ ପ୍ରତୀକ୍ଷାର ହେବ ଅବସାନ । ଆଜିଠାରୁ ଖେଳାଯିବ ହକି ବିଶ୍ୱକପର ମ୍ୟାଚ । କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ୨ଟି ଲେଖାଏଁ ମ୍ୟାଚ । ଶୁକ୍ରବାର ପ୍ରଥମ ଦିବସରେ ମୋଟ୍‌ ୪ଟି ମ୍ୟାଚ୍‌ ଖେଳାଯିବ । ପୁଲ୍‌ ଏ’ର ଦୁଇଟି ମ୍ୟାଚ୍‌ ଭୁବନେଶ୍ୱରରେ ରହିଛି । ଅପରାହ୍ଣ ୧ଟାରୁ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ଏବଂ ଅପରାହ୍ଣ ୩ଟାରୁ ଅଷ୍ଟ୍ରେଲିଆ-ଫ୍ରାନ୍ସ ମ୍ୟାଚ୍‌ ଆରମ୍ଭ ହେବ । ସେହିପରି ରାଉରକେଲାରେ ପୁଲ ଡି’ର ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୫ଟାରୁ ଇଂଲଣ୍ଡ-ୱେଲ୍ସ ମଧ୍ୟରେ ଏବଂ ସନ୍ଧ୍ୟା ୭ଟାରୁ ଘରୋଇ ଭାରତ ଓ ସ୍ପେନ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ ।

ବିଶ୍ୱକପ୍‌ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ମୋଟ୍‌ ୪ଟି ଗ୍ରୁପ୍‌ରେ ୧୬ଟି ଦଳ ଭାଗ ନେଇଛନ୍ତି । ବିଶ୍ୱକପ୍‌ରେ ମୋଟ୍‌ ୪୪ଟି ମ୍ୟାଚ୍‌ ଖେଳାଯିବ । ରାଉରକେଲାରେ ୨୦ଟି ଏବଂ ଭୁବନେଶ୍ୱରରେ ଫାଇନାଲ ସମେତ ୨୪ଟି ମ୍ୟାଚ୍‌ ରହିଛି । ପୁଲ୍‌ ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ପୁଲ୍‌ ବି’ରେ ବେଲଜିୟମ, ଜର୍ମାନୀ, ଦକ୍ଷିଣ କୋରିଆ, ଜାପାନ ପୁଲ୍‌ ସି’ରେ ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଏବଂ ପୁଲ୍‌ ଡି’ରେ ଭାରତ, ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ରହିଛନ୍ତି ।

Exit mobile version