Site icon ଆଜିକାଲି

ହକି ବିଶ୍ୱକପ: ଭାରତର ଅଭିଯାନ ଶେଷ, ନ୍ୟୁଜିିଲାଣ୍ଡ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା

ଭୁବନେଶ୍ୱର: ଚଳିତ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ୪୮ ବର୍ଷର ପଦକ ପ୍ରତୀକ୍ଷାର ଅନ୍ତ ଘଟାଇବା ଭାରତର ଆଶା ଏଥର ମଧ୍ୟ ଆଶାରେ ହିଁ ରହିଯାଇଛି । କ୍ରମାଗତ ଦ୍ୱିତୀୟ ଥର ଘରୋଇ ମାଟିରେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଥିବା ଭାରତ ଏଥର କ୍ୱାର୍ଟର ଫାଇନାଲରେ ବି ପହଞ୍ଚିପାରି ନାହିଁ । କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ କ୍ରସ୍‌ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୫-୪ରେ ହାରି ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଏକାଧିକ ସୁଯୋଗ ହାତଛଡ଼ା କରିବା ଓ ରକ୍ଷଣଭାଗର ଢିଲା ପ୍ରଦର୍ଶନ ଭାରତୀୟ ଦଳକୁ ମହଙ୍ଗା ପଡ଼ିଛି ।

ଏକଦା ୩-୧ ଗୋଲରେ ଆଗୁଆ ରହିବା ସତ୍ତ୍ୱେ ଭାରତୀୟ ଦଳ ନ୍ୟୁଜଲାଣ୍ଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦେଇଥିଲା । ନିର୍ଦ୍ଧାରିତ ସମୟର ଖେଳ ୩-୩ରେ ଶେଷ ହେବା ପରେ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା । ପେନାଲ୍ଟି ସୁଟ୍ ଆଉଟ ବି ୩-୩ର ବରାବର ରହିଥିଲା । ତେବେ ସଡନ ଡେଥରେ ଭାରତ ସୁଯୋଗ ହାତଛଡ଼ା କରିଥିବା ବେଳେ ନ୍ୟୁଜିଲାଣ୍ଡ ବାଜି ମାରିନେଇଥିଲା । ସଡନ ଡେଥରେ ନ୍ୟୁଜିଲାଣ୍ଡର ସାମ୍ ଲେନ୍ ଗୋଲ୍ ସ୍କୋର କରିଥିଲେ । କିନ୍ତୁ ଭାରତର ସମସେର ସିଂ ଦୁଇଥର ନିଜ ସଟ୍ ମିସ୍ କରିବା ପରେ ଭାରତର କ୍ୱାର୍ଟର ଫାଇନାଲ ଆଶା ଧୂଳିସାତ ହୋଇଥିଲା । ଭାରତ ପୁଣି ଖାଲି ହାତରେ ବିଶ୍ୱକପରୁ ବିଦାୟ ନେଇଛି । ଗତ ସଂସ୍କରଣ (୨୦୧୮)ରେ ଭାରତର ଅଭିଯାନ କ୍ୱାର୍ଟର ଫାଇନାଲରେ ଶେଷ ହୋଇଥିଲା । ଏଥର ଆରମ୍ଭରୁ ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ଅଗଣିତ ପ୍ରଶଂସକଙ୍କୁ ନିରାଶ କରିଛି । ଭାରତକୁ ହରାଇ ନ୍ୟୁଜିଲାଣ୍ଡ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । କ୍ୱାର୍ଟରରେ ନ୍ୟୁଜିଲାଣ୍ଡର ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ସହ ହେବ । ନିର୍ଦ୍ଧାରିତ ୬୦ ମିନିଟ୍ ଖେଳରେ ଭାରତ ତରଫରୁ ଲଳିତ ଉପାଧ୍ୟାୟ, ସୁଖଜିତ ସିଂ ଓ ବରୁଣ କୁମାର ଗୋଲ୍ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ସାମ୍ ଳେନ୍‌, କେନ୍ ରସଲ ଓ ସନ୍ ଫିଣ୍ଡେଲ୍ ଗୋଲ୍ ଦେଇଥିଲେ ।

ବିଶ୍ୱ ର‌୍ୟାଙ୍କିଙ୍ଗର ୧୨ତମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଷଷ୍ଠ ମାନ୍ୟତାପ୍ରାପ୍ତ ଭାରତ ଫେଭରିଟ୍ ଥିଲା । ଭାରତ ମଧ୍ୟ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଗୋଲ ଅଞ୍ଚଳରେ ବହୁଥର ପଶି ସୁଯୋଗ ସୃଷ୍ଟି କରିଥିଲା । ମ୍ୟାଚର ସପ୍ତମ ମିନିଟରେ ଭାରତୀୟ ଦଳକୁ ଗୋଲ କରିବାକୁ ସୁବର୍ଣ୍ଣ ସୁଯୋଗ ମିଳିଥିଲା । କିନ୍ତୁ ବଲର ପୋଜେସନ ରଖିବାରେ ବିଫଳ ହେବାରୁ ସୁଯୋଗ ହାତଛଡ଼ା ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଏକାଧିକ ସୁଯୋଗ ସତ୍ତ୍ୱେ ଭାରତ ଗୋଲ କରିପାରିନଥିଲା । ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ।

ଦ୍ୱିତୟ କ୍ୱାର୍ଟରରେ ଭାରତ ଗୋଲ୍ ଖାତା ଖୋଲିଥିଲା । ମ୍ୟାଚର ୧୮ତମ ମିନିଟରେ ଜର୍ସି ନମ୍ବର ୧୪ ଲଳିତ କୁମାର ଉପାଧ୍ୟାୟ ଏକ ଚମତ୍କାର ଫିଲ୍ଡ ଗୋଲ ସହ ଭାରତକୁ ଅଗ୍ରଣୀ କରାଇଥିଲେ । ଏହାପରେ ୨୫ତମ ମିନିଟରେ ସୁଖଜୀତ ସିଂହ ଦଳର ଅଗ୍ରଣୀକୁ ଦ୍ୱିଗୁଣିତ କରିଦେଇଥିଲେ । ଭାରତ ଏହାପରେ ଆକ୍ରମଣକୁ ଜୋରଦାର କରି ନ୍ୟୁଜିଲାଣ୍ଡ ଉପରେ ଚାପ ବଜାୟ ରଖିଥିଲା । ତେବେ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ୍ ଶୁଝାଇବାରେ ସକ୍ଷମ ହୋଇଥିଲା । ୨୯ତମ ମିନିଟରେ ସାମ୍ ଲେନ୍ ନ୍ୟୁଜିଲାଣ୍ଡ ପାଇଁ ଗୋଲ୍ ସ୍କୋର କରି ସ୍କୋରକୁ ୨-୧ କରିଥିଲେ । ତଥାପି ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୨-୧ ଅଗ୍ରଣୀ ବଜାୟ ରଖିଥିଲା ।

ତୃତୀୟ କ୍ୱାର୍ଟରରେ ବି ରୋମାଞ୍ଚକ ସଂଘର୍ଷ ହୋଇଥିଲା । ୪୧ତମ ମିନିଟରେ ବରୁଣ କୁମାର ଏକ ଚମତ୍କାର ଗୋଲ୍ କରିଥିବା ବେଳେ ଭାରତର ଅଗ୍ରଣୀ ୩-୧କୁ ବୃଦ୍ଧି ହୋଇଥିଲା । ଲାଗୁଥିଲା ଭାରତ ଏହି ମ୍ୟାଚ୍ ସହଜରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ । କିନ୍ତୁ ନ୍ୟୁଜିଲାଣ୍ଡ ଟିମ୍ ହାର୍ ମାନିନଥିଲା । ଦଳ ଲଢୁଆ ପ୍ରଦର୍ଶନ ସହ ପୁଣି ସଫଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା । ୪୪ତମ ମିନିଟରେ ପେନାଲ୍ଟି କର୍ଣ୍ଣରୁ ଗୋଲ୍ କରି କେନ୍ ରସେଲ ସ୍କୋରକୁ ୩-୨ କରିଥିଲେ । ଇତିମଧ୍ୟରେ ଭାରତୀୟ ଦଳକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଦଳ ଏହାର ଲାଭ ଉଠାଇ ପାରିନଥିଲା । ଏହାଛଡ଼ା ଖେଳାଳିଙ୍କ ମଧ୍ୟରେ ତାଳମେଳର ଅଭାବ ମଧ୍ୟ ଦଳକୁ ମହଙ୍ଗା ପଡ଼ିଥିଲା । ଚତୁର୍ଥ କ୍ୱାର୍ଟରରେ ମ୍ୟାଚ୍ ଆହୁରି ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚର ୫୦ତ ମିନିଟରେ ସିନ୍ ଫିଣ୍ଡେଲ୍ ଭାରତୀୟ ଗୋଲପୋଷ୍ଟ ଭେଦ କରିଥିବା ବେଳେ ନ୍ୟୁଜିଲାଣ୍ଡ ସ୍କୋରକୁ ୩-୩ରେ ସମାନ ସ୍ଥିତିକୁ ଆଣିଥିଲା । ଶେଷ କିଛି ସେକେଣ୍ଡରେ ନ୍ୟୁଜିଲାଣ୍ଡକୁ ବିଜୟ ସୂଚକ ଗୋଲ ଦେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା । କିନ୍ତୁ ଦଳ ତାହାର ଫାଇଦା ଉଠାଇ ପାରିନଥିଲା । ହେଲେ ପେନାଲ୍ଟି ସୁଟଆଉଟରେ ଭାରତ ପାଇଁ ସବୁ ଓଲଟ ପାଲଟ ହୋଇଯାଇଥିଲା । ତିନି ବର୍ଷ ପରେ ନ୍ୟୁଜିଲାଣ୍ଡ ପ୍ରଥମ ଥର ଭାରତକୁ ହରାଇଥିଲା ।

Exit mobile version