Site icon ଆଜିକାଲି

ହକି ବିଶ୍ବକପ୍‌ : ଆଜି ୮ଟି ଦଳ ମଧ୍ୟରେ ୯ମରୁ ୧୬ଶ ସ୍ଥାନ ପାଇଁ ମୁକାବିଲା

ରାଉରକେଲା : ଚଳିତ ପୁରୁଷ ହକି ବିଶ୍ବକପରେ ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ସାରିଛି । ଅଷ୍ଟ୍ରେଲିଆ, ଜର୍ମାନି, ବେଲ୍‌ଜିୟମ ଓ ନେଦରଲାଣ୍ଡ୍ସ ଦଳ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୪ଟି ପୁଲ୍‌ର ଅନ୍ତିମ ସ୍ଥାନରେ ରହିଥିବା ଦଳ ଏବଂ କ୍ରସ୍‌ଓଭର ମ୍ୟାଚ୍‌ରେ ପରାସ୍ତ ହୋଇଥିବା ୪ଟି ଦଳ ମୋଟ ୮ଟି ଦଳ ୯ରୁ ୧୬ଶ ସ୍ଥାନ ପାଇଁ ଖେଳିବେ।

ଭାରତୀୟ ହକି ଦଳ ଆଜି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଜାପାନ ବିପକ୍ଷରେ ଭାରତ ପୋଜିସନାଲ ମ୍ୟାଚ୍‌ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରୁ ହିଁ ଭାରତ ଚଳିତ ବିଶ୍ବକପ୍‌ର ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ପୁଲ୍‌ ମ୍ୟାଚ୍‌ରେ ସ୍ପେନ୍‌କୁ ୨-୦ ଗୋଲ୍‌ରେ ଭାରତ ପରାସ୍ତ କରିଥିଲା। ୨ୟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ଇଂଲଣ୍ଡ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ଭାରତ ପରାଜୟରୁ ବର୍ତ୍ତି ଯାଇଥିଲା। କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଅନ୍ତିମ ପୁଲ୍‌ ମ୍ୟାଚ୍‌ ୱେଲ୍‌ସ ବିପକ୍ଷରେ ଖେଳିଥିଲା। ଗୋଲ୍‌ ବ୍ୟବଧାନରେ ଇଂଲଣ୍ଡ ବହୁତ ଆଗରେ ଥିବା ବେଳେ ଭାରତକୁ ସିଧାସଳଖ କ୍ବାର୍ଟରଫାଇନାଲ ଖେଳିବା ପାଇଁ ୮ଟି ଗୋଲ୍‌ ବ୍ୟବଧାନରେ ଜିତିବାର ଥିଲା। ଗୋଲ୍‌ ବ୍ୟବଧାନ କଥା ଛାଡ଼ନ୍ତୁ; ସ୍କୋର୍‌ ଏକଦା ୨-୨ ଥିଲା। ଆଉ ୨ଟି ଗୋଲ୍‌ଦେଇ ଭାରତ ୪-୨ରେ ଜିତି କ୍ରସ୍‌ଓଭର ଖେଳିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ୍‌ଓଭର ମ୍ୟାଚ୍‌ରେ ମଧ୍ୟ ଭାରତର ନିମ୍ନମାନ ପ୍ରଦର୍ଶନ ଜାରି ରହିଥିଲା। ଏକଦା ଭାରତ ୩-୧ ଗୋଲ୍‌ରେ ଆଗୁଆ ରହି କ୍ବାର୍ଟରଫାଇନାଲ ଖେଳିବା ଦ୍ବାରରେ ଥିଲା। ହେଲେ ୬ ମିନିଟରେ ୨ଟି ଗୋଲ୍‌ଦେଇ ନ୍ୟୁଜିଲାଣ୍ଡ ସ୍କୋର୍‌କୁ ୩-୩ କରି ପାରିଥିଲା। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତ ପରାସ୍ତ ହୋଇ ଟ୍ରଫି ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଏବେ ୯ମରୁ ୧୬ଶ ସ୍ଥାନ ପାଇଁ ଭାରତ ଖେଳିବାକୁ ଯାଉଛି। ଭାରତ ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟପଦକ ଜିତିବା ପରେ ଆଲୋଚନା ହୋଇଥିଲା ଯେ ଭାରତୀୟ ହକି ପୁଣିଥରେ ତା’ର ସ୍ବର୍ଣ୍ଣିମ ସମୟକୁ ଫେରୁଛି। ଭାରତୀୟ ହକି ଦଳରେ ବହୁତ ଉନ୍ନତି ଘଟିଛି। ପ୍ରୋ ଲିଗ୍‌ରେ ଭଲ ପ୍ରଦର୍ଶନ ପରେ ଭାରତର ବିଶ୍ବ ମାନ୍ୟତା ୬କୁ ଉଠିଥିଲା।

Exit mobile version