Site icon ଆଜିକାଲି

ଆଜି ହଂକଂ-ପାକ୍‌ ମୁକାବିଲା, ବିଜୟୀ ଟିମ୍ ଯିବ ସୁପର୍ ୪

ସାରଜା : ଏସିଆ କପ୍‌-୨୦୨୨ର ଆଜି ଶେଷ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ହଂକଂ ଓ ପାକିସ୍ତାନ । ଉଭୟ ଦଳ ଭାରତ ଠାରୁ ନିଜ ନିଜର ପ୍ରଥମ ମ୍ୟାଚ୍‌ ହାରିଛନ୍ତି। ଫଳରେ ଆଜିର ମ୍ୟାଚ ଉଭୟ ଦେଶ ପାଇଁ ‘କର ବା ମର’ ପରିସ୍ଥିତି। ଏହି ମ୍ୟାଚ୍‌ର ବିଜେତା ସୁପର-୪ ରାଉଣ୍ଡ୍‌ରେ ପ୍ରବେଶ କରିବେ । ଆଜି ଯେଉଁ ଦଳ ଜିତିବ, ସିଏ ରବିବାର ଭାରତ ବିପକ୍ଷରେ ନିଜର ପ୍ରଥମ ସୁପର ୪ ମ୍ୟାଚ୍‌ ଖେଳିବ।

ପାକିସ୍ତାନ ତୁଳନାରେ ହଂକଂ ଅପେକ୍ଷାକୃତ ଦୁର୍ବଳ। ତେଣୁ ଏହି ମ୍ୟାଚ୍‌ରେ ପାକିସ୍ତାନର ପଲା ଭାରି ରହିବ । ତେଣୁ ଗ୍ରୁପ ଏରୁ ଦ୍ୱିତୀୟ ଦଳ ଭାବେ ପାକିସ୍ତାନ ସୁପର ୪କୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ଭାରତ ୨ଟି ବିଜୟ ସହ ସୁପର ୪ରେ ନିଜର ସ୍ଥାନ ପକ୍କା କରି ନେଇଛି। ଅନ୍ୟପକ୍ଷରେ ଗୁରୁବାର ଖେଳା ଯାଇଥିବା କର ବା ମର ମ୍ୟାଚ୍‌ରେ ଶ୍ରୀଲଙ୍କା ୨ ୱିକେଟରେ ବାଂଲାଦେଶକୁ ରୋମାଞ୍ଚକର ଢଙ୍ଗରେ ହରାଇ ଦେଇଛି। ଏହି ବିଜୟ ସହ ଗ୍ରୁପ ବିରୁ ଶ୍ରୀଲଙ୍କା ଦ୍ୱିତୀୟ ବିଜୟ ସହ ସୁପର ୪ରେ ପ୍ରବେଶ କରିଛି। ଫଳରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଏସିଆ କପର ୧୫ତମ ସଂସ୍କରଣରୁ ବାଂଲାଦେଶ ବିଦାୟ ନେଇଛି।

ହଂକଂ ତୁଳନାରେ ପାକିସ୍ତାନ ବେଶ ଶକ୍ତିଶାଳୀ । ହଂକଂ ମଧ୍ୟ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି । ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଶେଷ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିଥିଲା । ସ୍ୱଳ୍ପ ରନ ସତ୍ତେ୍ୱ ପାକିସ୍ତାନ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ଭାରତୀୟ ବ୍ୟାଟରଙ୍କୁ ସହଜରେ ରନ୍‌ କରିବାକୁ ସୁଯୋଗ ଦେଇ ନଥିଲେ । ଆଜି ହଂକଂ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାକୁ ପାକ୍‌ ବୋଲରମାନେ ପ୍ରୟାସ କରିବେ । ହଂକଂ ଦଳର ବୋଲିଂ ଓ ଫିଲ୍ଡିଂ ଦୁର୍ବଳ । ମାତ୍ର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଦଳର ଅଧିକାଂଶ ଖେଳାଳି ଭାରତ କିମ୍ବା ପାକିସ୍ତାନ ବଂଶୋଦ୍ଭବ । ତେଣୁ କ୍ରିକେଟ୍‌ ସେମାନଙ୍କ ରକ୍ତରେ ପ୍ରବାହିତ । ପାକ୍‌ ବୋଲରଙ୍କ ବିପକ୍ଷରେ ବଡ ସ୍କୋର କରିବାର କ୍ଷମତା ହଂକଂ ନିକଟରେ ରହିଛି । ବିଶେଷ କରି ବାବର ହୟାତଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭର କରିବ । ପାକିସ୍ତାନ ଦଳର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ବାବର ଆଜମ, ମହମ୍ମଦ ରିଜୱାନ, ଫଖାର ଜମାନ ଓ ଅସିଫ ଅଲିଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିଲେ ପାକିସ୍ତାନ ବିଶାଳ ସ୍କୋର ସଂଗ୍ରହ କରିପାରିବ ।

Exit mobile version