Site icon ଆଜିକାଲି

ଇନ୍ଦୋର ପିଚକୁ ନକାରାତ୍ମକ ରେଟିଂ ଦେଲା ଆଇସିସି

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ଭେନ୍ୟୁ ଇନ୍ଦୋରର ହୋଲକର ଷ୍ଟାଡିୟମ ପିଚକୁ ଆଇସିସି ତରଫରୁ ନକାରାତ୍ମକ ମାନ୍ୟତା ମିଳିଛି । ଏହି ପିଚକୁ ବିଶେଷଜ୍ଞମାନେ ସମାଲୋଚନା କରିଥିବା ବେଳେ ମ୍ୟାଚ୍ ମାତ୍ର ଅଢେଇ ଦିନରେ ଶେଷ ହୋଇଥିଲା । ବିପକ୍ଷ ଦଳକୁ ଫସାଇବା ପାଇଁ ଲକ୍ଷ୍ୟ ରଖିଥିବା ଭାରତ ନିଜେ ଏହି ସ୍ପିନ୍ ଟ୍ରାକରେ ଫସିଯାଇଥିଲା । ଅଷ୍ଟ୍ରେଲିଆ ମାତ୍ର ଅଢେଇ ଦିନରେ ଭାରତକୁ ୯ ୱିକେଟରେ ହରାଇଥିଲା ।

ମ୍ୟାଚ୍ ପରେ ଆଇସିସି ହୋଲକର ଷ୍ଟାଡିୟମ ପିଚକୁ ‘ନିମ୍ନମାନର’ ରେଟିଂ ଦେଇଛି । ଏହାଛଡ଼ା ଏହି ଭେନ୍ୟୁକୁ ୩ ଡିମେରିଟ୍ସ ବା ନାରାକତ୍ମକ ପଏଣ୍ଟ ମିଳିଛି, ଯାହା ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହି ପିଚରେ ଭାରତ ପ୍ରଥମ ଇନିଂସରେ ୧୦୯ ଓ ଦ୍ୱିତୀୟ ଇନିଂସରେ ୧୬୩ ରନ୍ କରି ଆଉଟ୍ ହୋଇଥିଲା । ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍ କରିଥିଲା ଓ ତୃତୀୟ ଦିବସର ପ୍ରଥମ ସେସନରେ ହିଁ ୭୬ ରନର ମାମୁଲି ଲକ୍ଷ୍ୟକୁ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା ।

ମ୍ୟାଚ୍ ପରେ ଆଇସିସି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଟେଷ୍ଟ ପରିଚାଳନା କରିଥିବା ଅମ୍ପାୟର ଓ ଦୁଇ ଦଳର ଅଧିନାୟକଙ୍କ ମତାମତ ଆଧାରରେ ଇନ୍ଦୋର ପିଚ୍ ନେଇ ପ୍ରସ୍ତୁତ କରିଥିବା ନିଜ ରିପୋର୍ଟ ଆଇସିସି ନିକଟରେ ଦାଖଲ କରିଥିଲେ । ରେଫରୀଙ୍କ ରିପୋର୍ଟ ଅନୁଧ୍ୟାନ କରିବା ପରେ ହୋଲକର ଷ୍ଟାଡିୟମ ପିଚକୁ ତିନି ନକାରାତ୍ମକ ପଏଣ୍ଟ ଦିଆଯାଇଥିବା ଆଇସିସି ଏକ ବିବୃତ୍ତିରେ କହିଛି ।

ପିଚ୍ ନେଇ ମ୍ୟାଚ୍ ରେଫରୀଙ୍କ ରିପୋର୍ଟକୁ ବିସିସିଆଇକୁ ଦିଆଯାଇଛି । ଯଦି ଭାରତୀୟ ବୋର୍ଡ ଚାହିଁବ ତେବେ ଆଇସିସିର ରେଟିଂ ବିରୋଧରେ ୧୪ ଦିନ ମଧ୍ୟରେ ଅପିଲ କରିପାରିବ ।

ମ୍ୟାଚ୍ ରେଫରୀ ବ୍ରଡ୍ ତାଙ୍କ ରିପୋର୍ଟରେ କହିଛନ୍ତି, ‘ପିଚ୍ ବହୁତ ଶୁଖିଲା ଥିଲା । ଯାହା ଫଳରେ ବ୍ୟାଟ୍ ଓ ବଲ୍ ମଧ୍ୟରେ ପ୍ରତିଯୋଗିତାରେ ସନ୍ତୁଳନ ରହିନଥିଲା । ଏହି ଟ୍ରାକ୍ ଆରମ୍ଭରୁ ସ୍ପିନରଙ୍କୁ ସୁହାଇଥିଲା । ମ୍ୟାଚର ପଞ୍ଚମ ବଲ୍ ପରେ ହିଁ ପିଚ୍ ଉପରୁ ମାଟି ଉଠିଯାଇଥିଲା । ଏହାଛଡ଼ା ବାଉନ୍ସରେ ଅସମାନତା ଦେଖାଦେଇଥିଲା ।

ତୃତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ସ୍ପିନକୁ ସୁହାଉଥିବା ଏହି ପିଚରେ ଭାରତ ପ୍ରଥମ ଦିନର ପ୍ରଥମ ସେସନରେ ହିଁ ୭ଟି ୱିକେଟ୍ ହରାଇଥିଲା ।

Exit mobile version