Site icon ଆଜିକାଲି

ଆଇସିସି ର଼୍ୟାଙ୍କିଙ୍ଗ୍: ଭାରତ ତୃତୀୟ ସ୍ଥାନକୁ ଖସିଲା

ଦୁବାଇ: ଆଇସିସି ପକ୍ଷରୁ ଗୁରୁବାର ଜାରି ସଦ୍ୟତମ ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତକୁ ଗୋଟିଏ ସ୍ଥାନର କ୍ଷତି ହୋଇଛି । ପାକିସ୍ତାନ ପଛକୁ ଭାରତ ତୃତୀୟ ସ୍ଥାନକୁ ଖସି ଆସିଥିବାବେଳେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନ ବଜାୟ ରଖିଛି।

ର଼୍ୟାଙ୍କିଙ୍ଗର ବାର୍ଷିକ ଅପଡେଟ୍ ପରେ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆର ରେଟିଂ ଆଉ ପାଞ୍ଚ ପଏଣ୍ଟ ବଢିଛି | ଦଳର ବର୍ତ୍ତମାନ ରେଟିଂ ପଏଣ୍ଟ ୧୧୮କୁ ବୃଦ୍ଧି ପାଇଛି | ୧୧୬ ରେଟିଂ ପଏଣ୍ଟ ସହ ପାକିସ୍ତାନ ଦ୍ୱିତୀୟ ଏବଂ ୧୧୫ ରେଟିଂ ପଏଣ୍ଟ ସହ ଭାରତ ତୃତୀୟ ସ୍ଥାନରେ ରହିଛି।

ଆଇସିସି ରିଲିଜ୍ ଅନୁଯାୟୀ, “ବାର୍ଷିକ ଅଦ୍ୟତନ ପୂର୍ବରୁ ଅଷ୍ଟ୍ରେଲିଆ ୧୧୩ ପଏଣ୍ଟ ସହ ଶୀର୍ଷରେ ଥିଲା ଏବଂ ଦଶମିକ ପଏଣ୍ଟ୍ ପାର୍ଥକ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ଥିଲା। ୧୧୨ ପଏଣ୍ଟ ସହ ପାକିସ୍ତାନ ତୃତୀୟ ସ୍ଥାନରେ ରହିଥିଲା । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ସିରିଜର ଚତୁର୍ଥ ଦିନିକିଆ ଜିତିବା ପରେ ବାବର ଆଜମଙ୍କ ଦଳ କିଛି ସମୟ ପାଇଁ ଶୀର୍ଷରେ ରହିଥିଲା ।

ଯଦି ପାକିସ୍ତାନ ପଞ୍ଚମ ଦିନିକିଆ ଜିତିଥାନ୍ତା, ତେବେ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଥାନ୍ତା । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ପଞ୍ଚମ ମ୍ୟାଚ୍ ଜିତିବା ସହ ପାକିସ୍ତାନକୁ କ୍ଲିନ୍ ସୁଇପ୍ ସୁଯୋଗରୁ ବଞ୍ଚିତ କରିଥିଲା।

ଆଇସିସି ବାର୍ଷିକ ମାନ୍ୟତାରେ ମେ ୨୦୨୦ ପରେ ଶେଷ ହୋଇଥିବା ସମସ୍ତ ଦିନିକିଆ ସିରିଜକୁ ସାମିଲ କରାଯାଇଛି। ଏଥିରେ ମେ ୨୦୨୨ ପୂର୍ବରୁ ଶେଷ ହୋଇଥିବା ସିରିଜ୍ ପାଇଁ ୫୦ ପ୍ରତିଶତ ପଏଣ୍ଟ୍ ଦିଆଯାଇଥିବାବେଳେ ଏହା ପରେ ସମସ୍ତ ସିରିଜ ପାଇଁ ୧୦୦ ପ୍ରତିଶତ ପଏଣ୍ଟ୍ ଦିଆଯାଇଛି।

Exit mobile version