Site icon ଆଜିକାଲି

ଆଇସିସି ଟି୨୦ ମାନ୍ୟତା: ଏକ ନମ୍ବରରେ ସୂର୍ଯ୍ୟକୁମାର, ଦିନିକିଆ ବୋଲିଂ ମାନ୍ୟତା ଶୀର୍ଷରେ ସିରାଜ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟି୨୦ ବ୍ୟାଟିଂ ମାନ୍ୟତାରେ ଭାରତର ସୂର୍ଯ୍ୟକୁମାର ଯାଦବ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ସୂର୍ଯ୍ୟକୁମାର ୯୦୮ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ୪୭ରନ କରିବା ପରେ ୯୧୦ ପଏଣ୍ଟ ହାସଲ କରିଥିଲେ। ଦ୍ବିତୀୟ ଟି୨୦ରେ ୨୬ରନ କରିବା ପରେ ଦୁଇ ପଏଣ୍ଟ ଖସି ଆସିବା ସହିତ ୯୦୮ରେ ପହଞ୍ଚିଛି। ଇଂଲଣ୍ଡର ଦାୱଦ ମାଲାନଙ୍କ ପରେ ଦ୍ବିତୀୟ ବ୍ୟାଟ୍‌ସମ୍ୟାନ ଭାବେ ସୂର୍ଯ୍ୟକୁମାର ଟି୨୦ରେ ଦ୍ବିତୀୟ ସର୍ବାଧିକ ରେଟିଂ ପଏଣ୍ଟ ୯୦୮ ହାସଲ କରିଛନ୍ତି। ୨୦୨୦ରେ ମାଲାନ ୯୧୫ ରେଟିଂ ପଏଣ୍ଟ ହାସଲ କରିଥିଲେ। ସୂର୍ଯ୍ୟକୁମାର ଶେଷ ୬ଟି ଟି୨୦ ମ୍ୟାଚରୁ ୨୩୯ରନ କରିଛନ୍ତି। ସେହିପରି ପାକିସ୍ତାନର ମହମ୍ମଦ ରିଜ୍‌ୱାନ ଦ୍ବିତୀୟ, ନ୍ୟୁଜିଲାଣ୍ଡର ଡିଭନ କନୱେ ୩ୟ, ପାକିସ୍ତାନର ବାବର ଆଜାମ ୪ର୍ଥ, ଦକ୍ଷିଣ ଆଫ୍ରିକାର ଆଇଡାନ ମାର୍କରାମ ୫ମ ସ୍ଥାନରେ ରହିଛନ୍ତି।

ଅଲରାଉଣ୍ଡର ତାଲିକାରେ ହାର୍ଦିକ ପାଣ୍ଡ୍ୟା ୩ୟ ସ୍ଥାନରେ ରହିଛନ୍ତି। ବାଂଲାଦେଶର ସାକିବ୍‌ ଅଲ୍‌ ହାସନ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଆଫଗାନିସ୍ତାନର ମହମ୍ମଦ ନବି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦିନିକିଆ ବୋଲିଂ ମାନ୍ୟତାରେ ମହମ୍ମଦ ସିରାଜ୍‌ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସିରାଜ୍ ୭୨୯ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ ୨ୟ ଓ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୩ୟ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ମାନ୍ୟତାରେ ଶୁବମାନ ଗିଲ୍‌ ୬ଷ୍ଠ, ବିରାଟ କୋହଲି ୭ମ, ରୋହିତ ଶର୍ମା ୯ତମ ସ୍ଥାନରେ ରହିଛନ୍ତି।

Exit mobile version