Site icon ଆଜିକାଲି

ଆଇଏମଡି ଲଞ୍ଚ୍ କଲା ପଞ୍ଚାୟତ ମୌସମ ସେବା ଆପ୍ : ଚାଷୀଙ୍କ ପାଖରେ ପହଞ୍ଚିବ ଆଗୁଆ ପାଣିପାଗ ସୂଚନା, ନିଜ ଭାଷାରେ ପାଇପାରିବେ ଖବର

ନୂଆଦିଲ୍ଲୀ : ଏଣିକି ଦେଶର ପ୍ରତି ପଞ୍ଚାୟତର ଚାଷୀ ଭାଇମାନଙ୍କ ପାଖରେ ଆଗୁଆ ପହଞ୍ଚିବ ପାଣିପାଗ ସୂଚନା। ନିଜ ନିଜ ଭାଷାରେ ପାଇପାରିବେ ପାଣିପାଗ ଖବର । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ ତମ ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ ହୋଇଥିବା ‘ପଞ୍ଚାୟତ ମୌସମ ସେବା’ (ପିଏମଏସ ଆପ୍) ଜରିଆରେ ପଞ୍ଚାୟତର ଚାଷୀମାନେ ପାଣିପାଗ ସମ୍ବନ୍ଧିତ ସୂଚନା ପାଇପାରିବେ। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏହି ପିଏମଏସ ଆପ୍ ର ଶୁଭାରମ୍ଭ କରିଛନ୍ତି।

ଏହି ସେବା ଓଡ଼ିଆ ସମେତ ୧୨ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଆପ ଜରିଆରେ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ଗତି ସମ୍ପର୍କରେ ପ୍ରାକ୍ ସୂଚନା ପାଇ ପାରିବେ ଚାଷୀ । କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏହି ସେବା ଫଳପ୍ରଦ ହେବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଦେଢଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପାଣିପାଗ ଖବର ଦେଉଛି ବିଭାଗ । ସମୟ ଗଡିବା ସହ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର ହେଉଛି । କୋଲ୍ଡୋଓ୍ବେଭ୍ ଏବଂ ହିଟଓ୍ବେଭ ରେ ୮୮ ପ୍ରତିଶତ ଆକଳନ ସତ ହେଉଛି । ବଜ୍ରପାତରେ ୮୬ ପ୍ରତିଶତ ଆକଳନ ସତ ହେଉଥିବା ବେଳେ ନାଓକାଷ୍ଟରେ ୮୦ ପ୍ରତିଶତ ସଫଳତା ମିଳୁଛି । ବାତ୍ୟା ଲ୍ୟାଣ୍ଡଫଲ ରେ ୧୦୦ ପ୍ରତିଶତ ଆକଳନ କରାଯାଇପାରୁଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Exit mobile version