Site icon ଆଜିକାଲି

ଆଇଏମ୍ଏଫର ଆକଳନ: ଭାରତର ଅଭିବୃଦ୍ଧି ହାର କମିବ

ନୂଆଦିଲ୍ଲୀ : ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର କମିବା ନେଇ ପୂର୍ବାନୁମାନ କରିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) । ବିଶ୍ୱ ଅର୍ଥନୀତି ମୁଦ୍ରାସ୍ଫୀତିର ପିକ୍ ଅତିକ୍ରମ କରିସାରିଛି। ତେବେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଟିକେ ଧିମେଇ ଯାଇପାରେ ବୋଲି ଆଇଏମ୍ଏଫ୍ ଆକଳନ କରିଛି ।

ଆଇଏମ୍ଏଫ୍ ଏହାର ‘ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍’ରେ କହିଛି ଯେ, “ଭାରତରେ ଅଭିବୃଦ୍ଧି ଚଳିତ ବର୍ଷ ସାମାନ୍ୟ କମ୍ ରହିବ। ଏହି ବର୍ଷ ଏହି ହାର ୬.୧ ହୋଇପାରେ, ଯାହା ୨୦୨୨ରେ ୬.୮ ପ୍ରତିଶତ ଥିଲା | ତେବେ ୨୦୨୪ରେ ଭାରତର ବିକାଶ ହାର ପୁଣି ଗତିଶୀଳ ହୋଇ ୬.୮%କୁ ବୃଦ୍ଧି ପାଇପାରେ ।

ଆଇଏମ୍ଏଫ୍ କହିଛି, କୋଭିଡ ଜିରୋ ନୀତି ଉଚ୍ଛେଦ କରିଥିବା ଯୋଗୁଁ ଚୀନ୍‌ର ଅର୍ଥନୈତିକ ପୁନରୁଦ୍ଧାର ପାଇଁ ପଥ ପରିଷ୍କାର ହୋଇଛି । ବିଶ୍ବର ଆର୍ଥିକ ଅଭିବୃଦ୍ଧି ହାର ବର୍ତ୍ତମାନ ୨.୯% ରହିବ ବୋଲି ଆକଳନ କରାଯାଇଛି। ଅର୍ଥନୀତିର ସବୁଠାରୁ ଖରାପ ପର୍ଯ୍ୟାୟ ଆସିବାକୁ ବାକି ଅଛି ବୋଲି ଗତ ବର୍ଷ ଆଇଏମ୍ଏଫ୍ ଚେତାବନୀ ଦେଇଥିଲା । ଦରବୃଦ୍ଧିର ମୁକାବିଲା ପାଇଁ ପ୍ରଭାବୀ ଓ ଉପଯୁକ୍ତ ନୀତି ଅବଲମ୍ବନ କରିବାକୁ ଆଇଏମ୍ଏଫ୍ ସମସ୍ତ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ନିବେଦନ କରିଛି । କାରଣ ଏହି ଲଢେଇରେ ଏପର୍ଯ୍ୟନ୍ତ ବିଜୟ ହାସଲ ହୋଇନାହିଁ ବୋଲି ସଂସ୍ଥା କହିଛି । ଆଇଏମ୍ଏଫ୍ ଆକଳନ ଅନୁଯାୟୀ ବ୍ରିଟେନ ହେଉଛି ଏକମାତ୍ର ବଡ଼ ଜି -୭ ଅର୍ଥନୀତି ଯାହା ୨୦୨୩ରେ ପତନମୁଖୀ ହୋଇପାରେ ।

Exit mobile version