Site icon ଆଜିକାଲି

ପାକିସ୍ତାନରେ ବେକାବୁ ହେଉଛି ହିଂସା : ଇମ୍ରାନଙ୍କ ଦଳର ବହୁ ବଡ଼ ନେତା ଗିରଫ, ପ୍ରଧାନମନ୍ତ୍ରୀ ସରିଫଙ୍କ ଘର ଉପରେ ଆକ୍ରମଣ

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଇମ୍ରାନ ଖାନଙ୍କ ସମର୍ଥକଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଦେଶସାରା ବ୍ୟାପୁଛି ହିଂସା । ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଉପସଭାପତି ଫୱାଦ ଚୌଧୁରୀ ଓ ଆସାଦ ଉମରଙ୍କ ସମେତ ଅନେକ ବଡ଼ ନେତାଙ୍କୁ ଗିରଫ କରାଯାଇଛି ।

ପିପିଆଇର ଆଉ ଜଣେ ବଡ଼ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି।

ସେପଟେ ଇମ୍ରାନ ଖାନଙ୍କ ସମର୍ଥକମାନେ ବୁଧବାର ଲାହୋର ସ୍ଥିତ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି। ପୋଲିସର ସୂଚନାନୁସାରେ, ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ୫୦୦ରୁ ଅଧିକ ଦଙ୍ଗାକାରୀ ବୁଧବାର ସକାଳେ ମଡେଲ ଟାଉନ ଲାହୋରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ସେଠାରେ ଅଟକି ଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।ସେମାନେ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଥିଲେ।

ଇମ୍ରାନ ଖାନ ଗିରଫ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବୁଧବାର ଦେଶକୁ ନିଜ ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ ଅଲ-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ସମ୍ପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ଅଛି। ସେ କହିଛନ୍ତି ଯେ ପ୍ରମାଣ ଆଧାରରେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଏହି ମାମଲାର ତଦନ୍ତ କରୁଛି। ପିଟିଆଇ କ୍ୟାବିନେଟକୁ ଏହି ମାମଲାରେ କିପରି ସମ୍ପୂର୍ଣ୍ଣ ଅନ୍ଧକାରରେ ରଖାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Exit mobile version