Site icon ଆଜିକାଲି

ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ କହିଲେ ପାକ୍ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନର ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଖାନଙ୍କୁ ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ କୋର୍ଟ ପାକିସ୍ତାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନର ପ୍ରଧାନ ବିଚାରପତି ଉମର ଅତା ବନ୍ଦିୟାଲ, ଜଷ୍ଟିସ ମହମ୍ମଦ ଅଲି ମଜହର ଏବଂ ଜଷ୍ଟିସ ଅଥର ମୀନାଲାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଲ୍-କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷଙ୍କ ଗିରଫଦାରୀ ବିରୋଧରେ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଇସଲାମାବାଦ ହାଇକୋର୍ଟ ପରିସରରୁ ଯେଉଁଭଳି ଭାବେ ୭୦ ବର୍ଷୀୟ ଇମ୍ରାନ ଖାନଙ୍କୁ ଗିରଫ କରାଗଲା ସେନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ମାମଲାରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟ ଆସିଥିବା ବେଳେ ତାଙ୍କୁ ନାଟକୀୟ ଢ଼ଙ୍ଗରେ ଗିରଫ କରିଥିଲେ ପାକ୍ ରେଞ୍ଜର୍ସ । ପାକିସ୍ତାନ ସୁପ୍ରିମକୋର୍ଟ ‘ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ (ନାବ୍)’କୁ ସ୍ଥାନୀୟ ସମୟ ୪:୩୦ ସୁଦ୍ଧା ଖାନଙ୍କୁ ହାଜର କରିବାକୁ କହିଛନ୍ତି। ଏହା ପରେ ଏହି ମାମଲାର ବିସ୍ତୃତ ଶୁଣାଣି ହେବ ।

ଇମ୍ରାନ ଖାନଙ୍କୁ ଗତ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା। ଏହାର ଦିନକ ପରେ ଅଲ୍-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ବୁଧବାର ତାଙ୍କୁ ଆଠ ଦିନ ପାଇଁ ‘ନାବ୍’ ରିମାଣ୍ଡରେ ପଠାଯାଇଥିଲା। ଇମ୍ରାନ ଖାନ ବୁଧବାର ତାଙ୍କ ଗିରଫଦାରୀ ବିରୋଧରେ ନାବ୍ ୱାରେଣ୍ଟକୁ ରଦ୍ଦ କରିବା ଓ ତାଙ୍କ ଗିରଫଦାରୀକୁ ‘ବେଆଇନ’ ଘୋଷଣା କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Exit mobile version