Site icon ଆଜିକାଲି

ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଲା

ପାଟଣା: ବିହାର ଛାପ୍ରାର ମଶରକ ଥାନା ଅଞ୍ଚଳରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ମୃତକଙ୍କ ପରିବାର ଦେଶୀମଦ କଥା କହୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ମୃତ୍ୟୁ ଓ ଅସୁସ୍ଥତାର କାରଣ ବିଷାକ୍ତ ମଦ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି । ତେବେ ପ୍ରଶାସନ ଏହାକୁ ସ୍ପଷ୍ଟ କରୁନାହିଁ କି ଅସ୍ବୀକାର ମଧ୍ୟ କରୁନି । ଏହି ସବୁ ମୃତ୍ୟୁ ଡିସେମ୍ବର ୧୩ ରୁ ୧୫ ମଧ୍ୟରେ ଘଟିଛି |

ଛାପ୍ରା ସଦର ଡାକ୍ତରଖାନାରେ ଅତିକମରେ ଦେଢ଼ ଡଜନ ଲୋକ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ଦୁଇରୁ ଅଧିକ ଲୋକ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ଆଶଙ୍କା ରହିଛି। ମୃତକ ମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଶ୍ରମିକ ଶ୍ରେଣୀର। ଡାକ୍ତରଖାନାର ଭର୍ତ୍ତି କିଛି ଅସୁସ୍ଥ ଲୋକଙ୍କ କହିବା ଅନୁଯାୟୀ, ସେମାନେ ପ୍ରାୟତଃ ମଦ୍ୟପାନ କରନ୍ତି ଏବଂ ଗାଁରେ ହିଁ ସେମାନଙ୍କୁ ମଦ ମିଳିଯାଏ ।

ଏହି ଘଟଣା ପରେ ମଶରକ ଥାନା ଅଧିକାରୀ ରିତେଶ ମିଶ୍ର ଏବଂ ଚୌକିଦାର ବିକେଶ ତିୱାରୀଙ୍କୁ ନିଲମ୍ବିତ କରାଯାଇଛି। ଏସଡିପିଓଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କୁ ବଦଳି କରାଯାଉଛି | ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ସୋନପୁର ଏଏସପି ଅଞ୍ଜାନି କୁମାର ଏହି ଏସଆଇଟିର ନେତୃତ୍ୱ ନେବେ। ଅଟକ ଥିବା ୨୦ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି। ଉଲ୍ଲେଖଯୋଗ୍ୟ, ବିହାରରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ ହୋଇଥିଲେ ମଧ୍ୟ ରାଜ୍ୟରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି ।

ଛାପ୍ରା ମଦମୃତ୍ୟୁ ନେଇ ରାଜନୀତି ଜୋର୍ ଧରିଛି । ବିଜେପି ମହାମେଣ୍ଟ ସରକାରର ‘ମଦ ବନ୍ଦ’ ନୀତି ଉପରେ ପ୍ରଶ୍ନ ଉଠାଇଛି । ଏହି ମାମଲାରେ ବୁଧବାର ରାଜ୍ୟ ବିଧାନସଭାରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ସେପଟେ ରାଜ୍ୟ ଅବକାରୀ ମନ୍ତ୍ରୀ ଅନିଲ କୁମାର କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Exit mobile version