Site icon ଆଜିକାଲି

କନ୍ଧମାଳରେ ମାଓ ଦମନ ଉପରେ ଅଧିକ ଫୋକସ୍ ହେବ, ଅଧିକ ନିୟୋଜିତ ହେବ ବିଏସ୍ଏଫ୍

ଫୁଲବାଣୀ: ରାଜ୍ୟର ଅନ୍ୟ ଜିଲ୍ଲାରେ ଲାଲ ବାହିନୀର ଉପଦ୍ରବ ହ୍ରାସ ପାଇବାରେ ଲାଗିଛି। ଏଣିକି କନ୍ଧମାଳ ଜିଲ୍ଲାରେ ମାଓ ଦମନ ଉପରେ ଅଧିକ ଫୋକସ୍ କରାଯିବ। ଏଥିରେ ପୋଲିସ, ସିଆରପିଏଫ୍ ସହ ବିଏସ୍ଏଫ୍ ଅଧିକ ମାତ୍ରାରେ ନିୟୋଜିତ ହେବ। କନ୍ଧମାଳ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରି ଏଭଳି ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ। ଜିଲ୍ଲାରେ ସୁରକ୍ଷା ବାହିନୀର ୧୬ଟି ବେସ୍ କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇଛି। ଜିଲ୍ଲା ପୋଲିସ ସହ ସମନ୍ବୟ ରକ୍ଷା କରି ବିଏସ୍ଏଫ୍, ସିଆରପିଏଫ୍ ବାହିନୀ ଲଗାତାର ମାଓଦମନ ଅଭିଯାନ ଚଳାଇ ଆସୁଛନ୍ତି। ଏଣିକି ମାଓ ଗତିବିଧି ଉପରେ ନଜର ରଖିବା ପାଇଁ ୬ ଗୋଟି ଅତ୍ୟାଧୁନିକ ଡ୍ରୋନ୍ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି। ଶନିବାର ପୋଲିସ ମହାନିର୍ଦ୍ଦେଶକ କନ୍ଧମାଳ ଜିଲ୍ଲାରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀ ରିଜର୍ଭ ପୋଲିସ ଲାଇନ୍ ଠାରେ ଉଦଘାଟନ କରିଛନ୍ତି। ୬ କୋଟି ଟଙ୍କାରେ ଏହି କୋଠା ନିର୍ମାଣ କରାଯାଇଛି।

ଡିଜିପି ବଂଶଲ ପ୍ରଥମେ ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗିସ୍ଥିତ ସିଆରପିଏଫ୍ ଶିବିର ପରିଦର୍ଶନ କରି ଅଧିକାରୀ ଓ ଯବାନଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଗ୍ରାମବାସୀଙ୍କୁ ପୋଷାକ ଓ ଘରକରଣା ସାମଗ୍ରୀ ବଣ୍ଟନ କରିଥିଲେ। ପରେ ଫୁଲବାଣୀ ଠାରେ ବିଏସ୍ଏଫ୍ ମୁଖ୍ୟାଳୟ ଉଦଘାଟନ କରିବା ସହ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ବରିଷ୍ଠ ପୋଲିସ ଓ ସୁରକ୍ଷା ବାହିନୀ ଅଧିକାରୀଙ୍କ ସହିତ ମାଓ ସମସ୍ୟାର ସମୀକ୍ଷା କରିଥିଲେ। ଜିଲ୍ଲାରେ ଦୀର୍ଘଦିନ ଧରି ଲାଗି ରହିଥିବା ମାଓ ଉପଦ୍ରବର ଅନ୍ତ ଘଟାଇବା ଉପରେ ଗୁରୁତ୍ବ ଦେଇଥିଲେ।

ଡିଜିପି କହିଛନ୍ତି ଯେ- ଏବେ କୋରାପୁଟ, ମାଲକାନଗିରି ଭଳି ମାଓ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ତେଣୁ କନ୍ଧମାଳ ଜିଲ୍ଲା ଉପରେ ଏବେ ଫୋକସ୍ କରାଯାଉଛି। ଛତିଶଗଡ଼ର ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ ପ୍ରବେଶ କରି ନୀରିହ ଲୋକଙ୍କୁ ହତ୍ୟା କରୁଛନ୍ତି। ଏଣୁ ଗୋଟିଏ ପଟେ ମାଓ ଦମନ ଅଭିଯାନ କରାଯାଉଛି। ଆରପଟେ ଜନସମ୍ପର୍କ ଶିବିର ଜରିଆରେ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଉଦ୍ୟମ ମଧ୍ୟ କରାଯାଉଛି। ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ସରକାରଙ୍କ ଲୋକାଭିମୁଖୀ ଯୋଜନାର ଲାଭ ଉଠାନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଡିଜିପି ବଂଶଲ। ବିଏସ୍ଏଫ୍ ସମେତ ସମସ୍ତ ସୁରକ୍ଷା ବାହିନୀ ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲାରେ ଶୀଘ୍ର ମାଓ ସମସ୍ୟା ପ୍ରତିହତ ହେବ ବୋଲି କହିଛନ୍ତି ବିଏସ୍ଏଫ୍ ଆଇଜି ଧନଞ୍ଜୟ କୁମାର ଶର୍ମା। ଏହି ଅବସରରେ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି (ଅପରେସନ୍) ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ସିଆରପିଏଫ୍ କମାଣ୍ଡାଣ୍ଟ୍ ସଞ୍ଜୀବ କୁମାର, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version