Site icon ଆଜିକାଲି

୨୮ରେ ନୂଆ ସଂସଦ ଭବନର ଉଦଘାଟନ

ନୂଆଦିଲ୍ଲୀ: ଆସନ୍ତା ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନକୁ ଉଦଘାଟନ କରିବେ। ଲୋକସଭା ସଚିବାଳୟ ତରଫରୁ ଏହି ସୂଚନା ଦିଆଯାଇଛି।

ଲୋକସଭା ସଚିବାଳୟର ବିବୃତ୍ତି ଅନୁଯାୟୀ, ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଏହାକୁ ଉଦଘାଟନ କରିବାକୁ ଅନୁରୋଧ କରିଛନ୍ତି । ଏଥିରେ କୁହାଯାଇଛି, ଲୋକସଭା ଓ ରାଜ୍ୟସଭା ତରଫରୁ ଅଗଷ୍ଟ ୫, ୨୦୧୯ରେ ସଂସଦ ପାଇଁ ଏକ ନୂଆ ଭବନ ନିର୍ମାଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହା ପରେ ଡିସେମ୍ବର ୧୦, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ନବନିର୍ମିତ ସଂସଦ ଭବନକୁ ଗୁଣବତ୍ତା ସହିତ ରେକର୍ଡ ସମୟ ମଧ୍ୟରେ ନିର୍ମାଣ କରାଯାଇଛି ।

ବିବୃତ୍ତି ଅନୁଯାୟୀ, ଗୋଟିଏ ପଟେ ନୂଆ ସଂସଦ ଭବନ ଭାରତର ଗୌରବମୟ ଗଣତାନ୍ତ୍ରିକ ପରମ୍ପରା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ଆହୁରି ସମୃଦ୍ଧ କରିବାକୁ ଥିବାବେଳେ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଏହି ସଂସଦ ଗୃହରେ ସଦସ୍ୟମାନଙ୍କୁ ସେମାନଙ୍କର କାର୍ଯ୍ୟ ଆହୁରି ଉତ୍ତମ ଢଙ୍ଗରେ ସମ୍ପାଦନ କରିବାରେ ସହାୟତା ମିଳିବ। ନୂଆ ସଂସଦ ଭବନ ଅନ୍ତର୍ଗତ ଲୋକସଭାରେ ୮୮୮ ସଦସ୍ୟ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ବ୍ୟବସ୍ଥା କରାଯାଇଛି। ସଂସଦର ବର୍ତ୍ତମାନର (ପୁରୁଣା) ଭବନରେ ଲୋକସଭାରେ ୫୫୦ ସଦସ୍ୟ ଓ ରାଜ୍ୟସଭାରେ ୨୫୦ ଜଣ ବସିବା କ୍ଷମତା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଏହି ନୂଆ ସଂସଦ ଗୃହ ଦେଶର କ୍ଷେମତା କେନ୍ଦ୍ର କୁହାଯାଉଥିବା ସେଣ୍ଟ୍ରାଲ୍ ଭିସ୍ତା ପୁନଃନିର୍ମାଣ ଯୋଜନାର ଏକ ଅଂଶ । ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ତିନି କିଲୋମିଟର ରାସ୍ତାର ନବୀକରଣ, ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀଙ୍କ ଏକ ନୂଆ କାର୍ଯ୍ୟାଳୟ ଏବଂ ବାସଭବନ ସହ ଉପରାଷ୍ଟ୍ରପତିଙ୍କ ନୂଆ ଏନକ୍ଲେଭ୍ ମଧ୍ୟ ଏହି ପ୍ରକଳ୍ପର ଅଂଶ । ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଦ୍ୱାରା ନୂଆ ସଂସଦ ଭବନ ନିର୍ମାଣ କରାଯାଉଛି। ଏହି ଭବନରେ ଭାରତର ଗଣତାନ୍ତ୍ରିକ ଇତିହାସର ପ୍ରଦର୍ଶନ ପାଇଁ ଏକ ବିଶାଳ ସମ୍ବିଧାନ ହଲ୍, ସଂସଦର ସଦସ୍ୟମାନଙ୍କ ପାଇଁ ଏକ ଲାଉଞ୍ଜ୍, ଏକ ଲାଇବ୍ରେରୀ, ଅନେକ କମିଟି କକ୍ଷ, ଡାଇନିଂ ହଲ୍ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ରହିବ । ସୂଚନା ଯେ, ବର୍ତ୍ତମାନର ସଂସଦ ଗୃହ ୧୯୨୭ରେ ନିର୍ମିତ ହୋଇଥିଲା ।

Exit mobile version