Site icon ଆଜିକାଲି

ଦେଶର ୭୭ତମ ସ୍ୱାଧୀନତା ଦିବସରେ ପିଏମ୍ ମୋଦୀ ଲାଲକିଲ୍ଲାରେ ଉଡାଇବେ ତ୍ରିରଙ୍ଗା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶର ୭୭ତମ ସ୍ୱାଧୀନତା ଦିବସ ମଙ୍ଗଳବାର ସାରା ଦେଶରେ ବେଶ ହର୍ଷଉଲ୍ଲାସ ସହ ପାଳନ କରାଯିବ । ମୁଖ୍ୟ କାର୍ଯ୍ୟକ୍ରମ ଲାଲକିଲ୍ଲାରେ ଆୟୋଜନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଲାଲକିଲ୍ଲା ପହଞ୍ଚିବେ । ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ରକ୍ଷା ସଚିବ ଗିରଧର ଅରମାନେ ତାଙ୍କୁ ସ୍ୱାଗତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉଡାଇବା ପରେ ରାଷ୍ଟ୍ରକୁ ସମ୍ୱୋଧିତ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ପହଞ୍ଚିବା ପରେ ଜେନେରାଲ ଅଫିସର କମାଣ୍ଡିଂ (ଦିଲ୍ଲୀ ଏରିଆ) ଲେଫ୍ଟିନାଣ୍ଟ ଜେନେରାଲ ଧୀରଜ ସେଠ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଲାମୀ ମଞ୍ଚ ଯାଏ ନେଇ ଯିବେ । ଏଠାରେ କମ୍ୱାଇନଡ୍ ଇଣ୍ଟର ସର୍ଭିସ୍ ଏବଂ ଦିଲ୍ଲୀ ପୋଲିସ ପ୍ରଧାନମନ୍ତ୍ରୀଙ୍କୁ ସମାଲୀ ଦେବେ । ଏହାପରେ ଗାର୍ଡ ଅଫ୍ ଅନର ଦିଆଯିବ । ଏଥିପାଇଁ ସ୍ଥଳ ସେନା, ବାୟୁ ସେନା ଏବଂ ଦିଲ୍ଲୀ ପୋଲିସର ଅଧିକାରୀ ଏବଂ ଯବାନ ଉପସ୍ଥିତ ରହିବେ । ଚଳିତ ବର୍ଷ ସ୍ଥଳସେନା କୋର୍ଡିନେଟିଂ ସର୍ଭିସ୍ ରହିଛି । ଗାର୍ଡ ଅଫ୍ ଅନରକୁ ମେଜର ବିକାଶ ସଙ୍ଗୱାନ କମାଣ୍ଡ କରିବେ ।

ଗାର୍ଡ ଅଫ୍ ଅନରର ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାର ପ୍ରାଚୀର ଆଡକୁ ବଢିବେ । ଏଠାରେ ତାଙ୍କୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନିଲ ଚୌହ୍ୱାନ, ସ୍ଥଳ ସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେ, ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭିଆର ଚୌଧୁରୀ, ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର ସ୍ୱାଗତ କରିବେ । ଏହାପରେ ଜେନେରାଲ ଅଫିସର କମାଣ୍ଡିଂ (ଦିଲ୍ଲୀ ଏରିଆ) ପ୍ରଧାନମନ୍ତ୍ରୀଙ୍କୁ ଲାଲକିଲ୍ଲାର ପ୍ରାଚୀରରେ ପତାକା ଉଡାଇବା ମଞ୍ଚ ଆଡକୁ ନେଇଯିବେ ।

ଧ୍ୱଜାରୋହଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମେଜର ନିକିତା ନାୟର ଏବଂ ମେଜର ଜ୍ୟାସମୀନ କୌର ଉପସ୍ଥିତ ରହିବେ । ଏହି ସମୟରେ ଆର୍ମି ବ୍ୟାଣ୍ଡ ରାଷ୍ଟ୍ରଗାନର ଧୁନ ବଜାଇବେ । ଚଳିତ ବର୍ଷ ସମ୍ପୂର୍ଣ୍ଣ ସ୍ୱଦେଶୀ ୧୦୫ ଏମଏମ ଗନରୁ ୨୧ ତୋପ ସଲାମୀ ଦିଆଯିବ । ଗନ ସାଲ୍ୟୁଟ୍ ୮୭୧୧ ଫିଲ୍ଡ ବ୍ୟାଟରି (ସେରେମୋନିୟଲ) ଦେବେ । ପତାକା ଉତ୍ତୋଳନ ସମୟରେ ଦୁଇ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ମାର୍କ ୩ ଧ୍ରୁବ ଫୁଲ ବର୍ଷା କରିବ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିବେ । ସମ୍ୱୋଧନ ପରେ ଜ୍ଞାନପଥରେ ଉପସ୍ଥିତ ୧୦୦ ଏନସିସି କ୍ୟାଡେଟ୍ ଜାତୀୟ ସଙ୍ଗୀତ ଗାନ କରିବେ ।

Exit mobile version