Site icon ଆଜିକାଲି

ଭାରତ ଏସିଆ କପ୍ ଚାମ୍ପିୟନ : ଶ୍ରୀଲଙ୍କାକୁ ୧୦ ଓ୍ବିକେଟରେ ହରାଇଲା

କଲମ୍ବୋ : ଏସିଆ କପ୍ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦେଇଥିବା ୫୦ ରନର ଟାର୍ଗେଟକୁ ସହଜରେ ପୂରଣ କରିଛନ୍ତି ଭାରତୀୟ ଟିମର ଦୁଇ ଓପନିଂ ବ୍ୟାଟର । ଶୁବମନ ଗିଲ୍‌ ଏବଂ ଈଶାନ କିଶନ ଦୁହେଁ ମାତ୍ର ୬.୧ ଓଭରରେ ୫୧ ରନ୍‌ କରି ଏସିଆ କପ୍‌ ଟାଇଟଲକୁ ସହଜରେ ହାତେଇଛି । ଶୁବମନ ଗିଲ୍‌ ଅପରାଜିତ ୨୭ ରନ ଏବଂ ଈଶାନ ଅପରାଜିତ ୨୩ ରନ କରି ଭାରତକୁ ଏସିଆ କପ୍‌ ୮ମ ଟାଇଟଲ ଦେଇଛନ୍ତି ।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା ଦଳ । ହେଲେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ସ୍କୋର୧୨ ରନରେ ପହଞ୍ଚିଲା ବେଳକୁ ଦଳ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ପେସ୍‌ ବୋଲର ମହମ୍ମଦ ସିରାଜ ଗୋଟିଏ ଓଭରରେ ୪ ୱିକେଟ ନେଇ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଭାରତ କବଜାକୁ ନେଇ ଆସିଲେ । ପ୍ରଥମ ଓଭରରେ ଯଶପ୍ରୀତ ବୁମରା କୁଶଲ ପେରେରାଙ୍କୁ ଆଉଟ୍ କରିଦେଇଥିଲେ। ଦ୍ୱିତୀୟ ଓଭରରେ ମହମ୍ମଦ ସିରାଜ ମେଡେନ ନେଇଥିଲେ। ତୃତୀୟ ଓଭରରେ ବୁମରା ମାତ୍ର ୧ ରନ ଦେଇଥିଲେ। ୪ର୍ଥ ଓଭର ପୁଣି ସିରାଜ ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରରେ ୬ଟି ବଲ୍ ପକାଇ ୪ ୱିକେଟ ନେଇଥିଲେ । ୫ମ ଓଭରରେ ବୁମରା ମେଡେନ ନେଇଥିଲେ। ୬ଷ୍ଠ ଓଭରରେ ସିରାଜ ପୁଣି କମାଲ କରିଥିଲେ। ସେ ଓଭରର ୪ର୍ଥ ବଲରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକାଙ୍କୁ ଶୂନରେ ଆଉଟ କରି ଦେଇଥିଲେ। ୧୨ ଓଭରରେ ୭ମ ଓ୍ଵିକେଟ ପଡିଥିବା ବେଳେ ସେହି ଓଭରର ତୃତୀୟ ବଲରେ ଖସି ପଡ଼ିଥିଲା ଶ୍ରୀଲଙ୍କାର ୮ମ ଓ୍ଵିକେଟ୍‌ । ୧୬ତମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କାର ଶେଷ ଦୁଇଟି ଓ୍ଵିକେଟ ଦଖଲ କରି ନେଇଥିଲେ । ଆଉ ଶେଷରେ ୫୦ ରନରେ ଅଲଆଉଟ ହେଲା ଶ୍ରୀଲଙ୍କା । କମାଲ ବୋଲିଂ କରି ମହମ୍ମଦ ସିରାଜ ୭ ଓଭରରେ ୨୧ ରନ୍‌ ଦେଇ ୬ଟି ଓ୍ଵିକେଟ, ପାଣ୍ଡ୍ୟା ୨.୨ ଓଭରରେ ୩ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ହାସଲ କରିଛନ୍ତି । ବୁମରାଙ୍କ ମିଳିଛି ଗୋଟିଏ ସଫଳତା । ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ୍‌ ଏବଂଦୁଶନ ହେମନ୍ତ ଦୁଇ ଅଙ୍କରେ ପହଞ୍ଚିଥିବା ବେଳେ ଅନ୍ୟ ୯ ଜଣଙ୍କ ମଧ୍ୟରୁ ୫ ଜଣ ଶୂନରେ ଆଉଟ୍‌ ହୋଇଥିଲେ ।

Exit mobile version