Site icon ଆଜିକାଲି

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦: ୪ ଓ୍ଵିକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ

ମୋହାଲି: ଏଠାରେ ଅନୁଷ୍ଠିତ ହାଇ ସ୍କୋରିଂ ପ୍ରଥମ ଟି୨୦ରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ୪ ୱିକେଟରେ ଭାରତକୁ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ସହାୟତାରେ ୬ ୱିକେଟ୍ ହରାଇ ୨୦୮ ରନର ବିଶାଳ ସ୍କୋର କରିଥିଲା । ହେଲେ କାମେରନ୍ ଗ୍ରୀନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ଶେଷ ଆଡକୁ ମାଥ୍ୟୁ ୱେଡଙ୍କ ଅପରାଜିତ ପାଳି ବଳରେ ଅଷ୍ଟ୍ରେଲିଆ ୪ଟି ବଲ ବାକିଥାଇ ମ୍ୟାଚକୁ ସହଜରେ ଜିତି ନେଇଥିଲା । ଏହାଛଡ଼ା ଡେଥ୍ ଓଭରରେ ବୋଲରଙ୍କ ଦାୟିତ୍ବହୀନ ପ୍ରଦର୍ଶନ ମଧ୍ୟ ଭାରତକୁ ମହଙ୍ଗା ପଡ଼ିଥିଲା । ଏହି ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଦଳ ପକ୍ଷରୁ ଗ୍ରୀନ୍ ମାତ୍ର ୩୦ଟି ବଲରେ ୮ଟି ଚୌକା ଓ ୪ଟି ଛକା ସହାୟତାରେ ଧୂଆଁଧାର ୬୧ ରନ୍ କରିଥିବା ବେଳେ ୱେଡ୍ ୨୧ଟି ବଲରେ ୬ଟି ଚୌକା ଓ ୨ ଚୌକା ବଳରେ ଅପରାଜିତ ୪୫ ରନ୍ କରିଥିଲେ । ଷ୍ଟିଭ୍ ସ୍ମିଥ୍ ୩୫ ଓ ଅଧିନାୟକ ଫିଞ୍ଚ୍ ୨୨ ରନ୍ କରିଥିଲେ । ଭାରତ ତରଫରୁ ସ୍ପିନର ଅକ୍ଷର ପଟେଲ ସଫଳ ବୋଲର ଭାବେ ୧୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୨ଟି ୱିକେଟ୍ ହାସଲ କରିଥିଲେ ।

ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମା(୧୧)ଙ୍କୁ ହରାଇଥିଲା। ଏହାପରେ ବିରାଟ କୋହଲି ମାତ୍ର ୨ ରନ କରି ଆଉଟ ହୋଇଥିଲେ। ରୋହିତଙ୍କ ୱିକେଟ ଜୋଶ ହେଜେଲଉଡ ଓ ବିରାଙ୍କୁ ନାଥନ ଇଲିସ ପ୍ୟାଭିଲିୟନ ପଠାଇଥିଲେ। ତେବେ ତୃତୀୟ ୱିକେଟ ପାଇଁ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ସ୍ଥିତି ସମ୍ଭାଳିଥିଲେ।

ଏଥିସହ ଦୀର୍ଘ ମାସ ପରେ ରାହୁଲ ଟି-୨୦ରେ ନିଜର ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଥିଲେ। ୩୫ ରନରେ ୨ ୱିକେଟ ହରାଇଥିବା ଭାରତ ୧୦୩ରେ ୩ ୱିକେଟ ହରାଥିଲା। ବଡ଼ ଶଟ ଖେଳିବା ଲୋଭରେ କେଏଲ ରାହୁଲ ୫୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ। ଆଉ ୨୩ ରନ ପରେ ସୂର୍ଯ୍ୟ କୁମାର ଯାଦବ ୨୫ ବଲରେ ୪୬ ରନ କରି ଆଉଟ ହୋଇଯାଇଥିଲେ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଅଲଗା ମୁଡରେ ପଡ଼ିଆକୁ ଓହ୍ଲାଇଥିଲେ। ସେ ଦମଦାର ବ୍ୟାଟିଂ କରି କେବଳ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇ ନଥିଲେ, ବରଂ ମାତ୍ର ୨୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଅକ୍ଷର ପଟେଲ (୬) ଓ ଦୀନେଶ କାର୍ତ୍ତିକ(୬) କିଛି ସମୟ ସାଥ ଦେଇଥିଲେ। ଭାରତ ୱିକେଟ ହରାଉଥିଲେ ମଧ୍ୟ ପାଣ୍ଡ୍ୟାଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା।

ସେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୯ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୧୮୭ ହୋଇଥିଲା। ଶେଷ ଓଭରରେ ପାଣ୍ଡ୍ୟା ଓ ହର୍ଷଲ ପଟେଲ ୨୧ ରନ କରିବାରୁ ଭାରତ ବିଶାଳ ୨୦୮ ରନ କରିବାକୁ ସକ୍ଷମ ହୋଇଛି। ଏହି ଓଭରର ଶେଷ ୩ ବଲରେ ପାଣ୍ଡ୍ୟା ଦ୍ରୁତ ବୋଲର କାମେରନ ଗ୍ରୀନକୁ ଲଗାତର ୩ଟି ଛକା ମାରିଥିଲେ। ପାଣ୍ଡ୍ୟା ଶେଷ ୩୦ ବଲରେ ୭୧ ଓ ହର୍ଷଲ ପଟେଲ ୭ ରନ କରି ଅପରାଜିତ ରହିଛନ୍ତି ପାଣ୍ତ୍ୟା ତାଙ୍କ ଇନିଂସରେ ୭ଟି ଚୌକା ଓ ୫ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଇଲିସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ୨ଟି ଓ ଗ୍ରୀନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା।

Exit mobile version