Site icon ଆଜିକାଲି

ଆଜି ଠାରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ

ନାଗପୁର : ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଆସେସ୍‌ ସହ ତୁଳନୀୟ। ଷ୍ଟିଭେନ୍‌ ସ୍ମିଥ୍ ଏହା ମଧ୍ୟ କହିଛନ୍ତି ଯେ ଆସେସ୍‌ଠାରୁ ମଧ୍ୟ ଏହି ଶୃଙ୍ଖଳା ବଡ଼। ବହୁ ପ୍ରତୀକ୍ଷିତ ଏହି ଶୃଙ୍ଖଳା ଗୁରୁବାରଠାରୁ ଆରମ୍ଭ ହେଉଛି । ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ନିକଟ ଅତୀତରେ ଉପମହାଦେଶରେ ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଏହା ଘରୋଇ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାକୁ ଡ୍ର ରଖି ପାରିଥିଲା। ହେଲେ ଅଷ୍ଟ୍ରେଲିଆର ପ୍ରକୃତ ଅଗ୍ନିପରୀକ୍ଷା ହେବ ଘରୋଇ ଭାରତ ବିପକ୍ଷରେ ଖେଳିବା। ୨୦୧୬-୧୭ରୁ ଅଦ୍ୟାବଧି କ୍ରମାଗତ ୩ଟି ଟେଷ୍ଟ ଶୃଙ୍ଖଳା ଭାରତ ଜିତିପାରିଛି। ୨୦୧୬-୧୭ରେ ଭାରତ ଘରୋଇ ମାଟିରେ ଶୃଙ୍ଖଳା ଜିତିଥିଲା। ତେବେ ନିଜମାଟିରେ ଭାରତଠାରୁ କ୍ରମାଗତ ୨ଟି ଶୃଙ୍ଖଳା ହାରିବା ଅଷ୍ଟ୍ରେଲିଆ ପାଇଁ ଶକ୍ତ ଧକ୍କା ହୋଇଛି। ଏହାର ପ୍ରତିଶୋଧ ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ୬ ବର୍ଷ ହେଲା ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଖରେ ରହିଛି। ଘରୋଇମାଟିରେ ଭାରତ ଖେଳୁଥିବାରୁ କ୍ରମାଗତ ୪ ଥର ଭାରତ ଶୃଙ୍ଖଳା ଜିତିବାକୁ ଫେଭରିଟ୍‌। ଅନ୍ୟପକ୍ଷରେ ୧୯ ବର୍ଷ ପରେ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଛି।

୨ ଦିନ ହେଲା ନାଗପୁର ପିଚ୍‌କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। କ୍ୟୁରେଟର ଏପରି ପିଚ୍‌ ପ୍ରସ୍ତୁତ କରିଛନ୍ତି; ଯେଉଁଥିରେ ପ୍ରଥମଦିନରୁ ବଲ୍‌ ସ୍ପିନ୍‌ କରିବ। ପିଚ୍‌ର ମଧ୍ୟଭାଗରେ ଘାସ ଅଛି ଏବଂ ପାଣି ଦିଆଯାଇଛି। ହେଲେ ପିଚ୍‌ର ଉଭୟ ପାର୍ଶ୍ବର ଗୁଡ୍‌​‌େ​‌ଲଙ୍ଗ୍‌ଥ ସ୍ଥାନରେ ୨ଟି ଲେଖାଏଁ ଶୁଖିଲା ଓ ଘାସ ହୀନ ସ୍ଥାନ ରହିଛି। ଏହି ୪ଟି ସ୍ଥାନରେ ବଲ୍‌ ପଡ଼ିଲେ ଏହା ଅତ୍ୟଧିକ ସ୍ପିନ୍‌ କରିବ ଏବଂ ତଳୁଆ ରହିବ କିମ୍ବା ବାଉନ୍‌ସ କରିବ। ବିଶେଷକରି ବାମହାତି ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଏହା ବେଶି ହଇରାଣ କରିବ। ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ରେ ୫/୬ ଜଣ ବାମହାତି ଥିବାରୁ ଏହାକୁ ନେଇ ଦଳ ଚିନ୍ତାରେ ପଡ଼ିଛି। ନାଗପୁରରେ ଉଭୟ ଦଳଙ୍କ ମଧ୍ୟରେ ସ୍ପିନ୍‌ ଲଢ଼େଇ ଦେଖିବାକୁ ମିଳିବ। ଯେଉଁ ଦଳର ସ୍ପିନର ଭଲ ବୋଲିଂକରିବେ ଏବଂ ବ୍ୟାଟ୍‌ସମ୍ୟାନ୍‌ ସ୍ପିନ୍‌ର ମୁକାବିଲା କରିପାରିବେ; ସେହି ଦଳ ହିଁ ବିଜୟୀ ହେବ। ଏହି ମାମଲାରେ ଭାରତ ଆଗରେ ରହିଛି। ଅଷ୍ଟ୍ରେଲୀୟଙ୍କ ଅପେକ୍ଷା ଭାରତୀୟ ବ୍ୟାଟ୍‌ସମ୍ୟାନ୍ ସ୍ପିନ୍‌ ଖେଳିବାରେ ଅଧିକ ଦକ୍ଷ। ପୁଣି ଭାରତୀୟ ସ୍ପିନର କଙ୍ଗାରୁ ଦଳର ସ୍ପିନରଙ୍କ ତୁଳନାରେ ମଧ୍ୟ ଅଧିକ ସିଦ୍ଧହସ୍ତ। ଏହାସହ ଘରୋଇମାଟିରେ ଭାରତ ଖେଳୁଥିବାରୁ ଏହାର ଫାଇଦା ରୋହିତ ଶର୍ମାଙ୍କ ଦଳକୁ ମିଳିବ। ଭାରତରେ ପାଦଦେବା ପରଠାରୁ ଅଷ୍ଟ୍ରେଲିଆର ବ୍ୟାଟ୍‌ସମ୍ୟାନ ସ୍ପିନରଙ୍କ ମୁକାବିଲାର ଅଭ୍ୟାସ ଚଳାଇଛନ୍ତି। ନାଗପୁର ପିଚ୍‌ରେ ରବିଚନ୍ଦ୍ରନ ଅଶ୍ବିନଙ୍କ ପରି ସ୍ପିନରଙ୍କ ମୁକାବିଲା କରିବା ଅଷ୍ଟ୍ରେଲିଆ ପାଇଁ କାଠିକର ପାଠ ହେବ। ରବୀନ୍ଦ୍ର ଜାଡ଼େଜା ଖେଳିବା ନିଶ୍ଚିତ। ୩ୟ ସ୍ପିନର ସ୍ଥାନ ପାଇଁ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ମଧ୍ୟରେ ମୁକାବିଲା ହେବ। ରୋହିତଙ୍କ ସହ କେ.ଏଲ୍‌. ରାହୁଲ କିମ୍ବା ଶୁବ୍‌ମାନ ଗିଲ୍‌ ଓପନ୍‌ କରିପାରନ୍ତି। ଯଦି ରାହୁଲ ଖେଳନ୍ତି; ତେବେ ୫ନଂ ସ୍ଥାନ ପାଇଁ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ମୁକାବିଲା ହେବ। ମହମ୍ମଦ ସିରାଜ୍ ଓ ମହମ୍ମଦ ସାମି ୨ ପେସ୍‌ ବୋଲର ଭାବେ ଖେଳିବେ।

କାମେରନ୍‌ ଗ୍ରୀନ୍‌ ଅନ୍‌ଫିଟ୍‌ ଥିବାରୁ ଅଷ୍ଟ୍ରେଲିଆ ଏକାଦଶର ୬ନଂ ସ୍ଥାନରେ ପିଟର ହ୍ୟାଣ୍ଡ୍‌ସକମ୍ବ୍ ଖେଳିପାରନ୍ତି। ମିଚେଲ ଷ୍ଟାର୍କ ଓ ଜୋସ୍‌ ହାଜେଲ୍‌ଉଡ୍‌ ଆହତ ଥିବାରୁ ଅଧିନାୟକ ପ୍ୟାଟ୍‌ କମିନ୍‌ସଙ୍କ ସହ ୨ୟ ପେସର ଭାବେ ସ୍କଟ୍‌ ବୋଲାଣ୍ଡ ଖେଳିବା ନିଶ୍ଚିତ। ନାଥାନ୍ ଲାୟନ୍‌ ଅଷ୍ଟ୍ରେଲିଆ ସ୍ପିନ୍‌ ଆକ୍ରମଣର ନେତୃତ୍ବ ନେବେ। ୨ୟ ସ୍ପିନର ଭାବେ ବାମହାତି ଆଷ୍ଟନ୍ ଏଗାର ଓ ଅଫ୍‌ସ୍ପିନର ଟଡ୍‌ ମର୍ଫିଙ୍କ ମଧ୍ୟରୁ ଜଣେ ଖେଳିବେ। ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୪ ଅଷ୍ଟ୍ରେଲୀୟ ଅଛନ୍ତି। ହେଲେ ସ୍ପିନ୍‌ ଉପଯୋଗୀ ପିଚ୍‌ରେ ଏହି ମାନ୍ୟତା ଅର୍ଥହୀନ। ୧ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାର୍ନସ ଲାବୁସେନ୍ ଓ ପୂର୍ବରୁ ଭାରତୀୟ ପିଚ୍‌ରେ ବହୁତ ରନ୍‌ କରିଥିବା ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଉପରେ ଅଷ୍ଟ୍ରେଲିଆର ଭରସା। ଉସ୍‌ମାନ ଖାୱାଜା ଓ ଟ୍ରାଭିସ୍‌ ହେଡ୍‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ହେଡ୍‌ ଉପଯୋଗୀ ଅଫ୍‌ସ୍ପିନ୍ କରିପାରନ୍ତି। ଶୃଙ୍ଖଳାରେ ୩ଟି ଟେଷ୍ଟ ଜିତିଲେ ଭାରତ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ଖେଳିବ। ଗତ ୧୦ ବର୍ଷରେ ଘରୋଇମାଟିରେ ଭାରତ ୪୨ଟି ଟେଷ୍ଟ ଜିତିଥିବା ବେଳେ ମାତ୍ର ୨ଟି ହାରିଛି। ସ୍ବାଭାବିକ ଭାବେ ଭାରତ ଏହି ଶୃଙ୍ଖଳା ଜିତିବାକୁ ବଡ଼ ଦାବିଦାର।

Exit mobile version