Site icon ଆଜିକାଲି

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍, ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଲଣ୍ଡନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲ୍ ବୁଧବାର ଠାରୁ ଆରମ୍ଭ ହେଉଛି । ଦକ୍ଷତା ଓ ପ୍ରତିଭାରେ ଭରା ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଏକ ଦଶନ୍ଧି ଧରି ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବାକୁ ଆଉ ଏକ ସୁଯୋଗ ହେବ ।

ଡବ୍ଲୁଟିସିର ଶେଷ ଦୁଇଟି ଚକ୍ରରେ ସ୍ଥିର ପ୍ରଦର୍ଶନ କରିବାରେ ଭାରତ ସବୁଠାରୁ ସଫଳ ଦଳ ହୋଇପାରିଛି । ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ପ୍ରମୁଖ ଧଳା ବଲ୍ ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି ଭାରତ। ହେଲେ ଟାଇଟଲ୍ ଜିତିପାରି ନାହିଁ |

୨୦୧୩ ଇଂଲଣ୍ଡରେ ଧୋନିଙ୍କ ନେତୃତ୍ୱରେ ଚାମ୍ପିଅନ୍ସ ଟ୍ରଫି ଥିଲା ଭାରତର ଶେଷ ଆଇସିସି ଟାଇଟଲ୍ । ଏହା ପରେ ଭାରତକୁ ଫାଇନାଲରେ ୩ ଥର ପରାଜୟର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ଦଳ ଚାରିଥର

ସେମିଫାଇନାଲରେ ହାରି ଯାଇଥିଲା। ୨୦୨୧ ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ହିଁ ବାହାର ହୋଇଥିଲା ଭାରତ।

ଚଳିତ ଡବ୍ଲୁଟିସି ସିଜନର ୬ଟି ସିରିଜ୍ ମଧ୍ୟରୁ ଭାରତ କେବଳ ଦକ୍ଷିଣ ଆଫ୍ରିକାରେ ଏକମାତ୍ର ସିରିଜ୍ ହାରିଥିଲା । ଏହା ପରେ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ରୋହିତ ଶର୍ମାଙ୍କୁ ଦଳର ନେତୃତ୍ୱ ଦାୟିତ୍ବ ମିଳିଥିଲା ।

ଭାରତୀୟ ଦଳ ଘରେ ଅପରାଜିତ ରହିଥିବା ବେଳେ ଇଂଲଣ୍ଡରେ ଏକ ସଂଘର୍ଷପୂର୍ଣ୍ଣ ସିରିଜ୍ ଡ୍ର କରିଥିଲା । ବାଂଲାଦେଶରେ ସଂଘର୍ଷ କରିଥିଲେ ମଧ୍ୟ ସିରିଜ୍ ଜିତିଥିଲା।

ଦୁଇ ବର୍ଷ ପୂର୍ବେ ସାଉଥମ୍ପଟନରେ ପରିବେଶକୁ ଅଣଦେଖା କରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନାଲରେ ଭାରତ ଦୁଇଟି ସ୍ପିନର ଖେଳାଇଥିଲା । କିନ୍ତୁ ଏହି ନିଷ୍ପତ୍ତି ବିଫଳ ହୋଇଥିଲା ।

ଓଭାଲ୍ ଏହାର ୧୪୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଜୁନ୍ ମାସରେ ଏକ ଟେଷ୍ଟ ମ୍ୟାଚ୍ ଆୟୋଜନ କରୁଛି | ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ପିନ୍ ଯୋଡିକୁ ଖେଳାଇବାକୁ ଭାରତ ଆଗ୍ରହୀ ହେବ । କିନ୍ତୁ ଇଂଲଣ୍ଡରେ ଗ୍ରୀଷ୍ମ ଋତୁ ଏବଂ ତାଜା ପିଚ୍ ଉପରେ ଚତୁର୍ଥ ପେସର୍ ଏକ ଭଲ ବିକଳ୍ପ ହୋଇପାରେ।

ୱିକେଟ୍ କିପର ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟକୁ ଇଶାନ କିଶନଙ୍କ ‘ଏକ୍ସ ଫ୍ୟାକ୍ଟର’ (ଗେମ୍ ଚେଞ୍ଜର) ନା କେଏସ୍ ଭରତଙ୍କ ରୂପରେ ଅଧିକ ନିର୍ଭରଯୋଗ୍ୟ ୱିକେଟ୍ କିପର ଆବଶ୍ୟକ ତାହା ସ୍ଥିର କରିବାକୁ ପଡିବ।

ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଖେଳିବା ନିଶ୍ଚିତ ଥିବାବେଳେ ତୃତୀୟ ବିକଳ୍ପ ଭାବେ ଅଭିଜ୍ଞ ଉମେଶ ଯାଦବ ଏବଂ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଦାବିଦାର ରହିଛନ୍ତି ।

ଭାରତୀୟ ଦଳର ଅଧିକାଂଶ ଖେଳାଳି ଦୁଇ ମାସ ଧରି ଆଇପିଏଲରେ ଖେଳିବା ପରେ ଏଠାକୁ ଆସିଛନ୍ତି । ଡବ୍ଲୁଟିସି ଫାଇନାଲ ପୂର୍ବରୁ ଭାରତୀୟ ଖେଳାଳି ଇଂଲଣ୍ଡର ପରିବେଶରେ ଅଭ୍ୟାସ ପାଇଁ ମାତ୍ର ସପ୍ତାହେ ସମୟ ପାଇଥିଲେ ।

ଆଧୁନିକ ଯୁଗରେ ଖେଳାଳିମାନେ ବିଭିନ୍ନ ଫର୍ମାଟରେ ଆଡଜଷ୍ଟ କରିବେ ବୋଲି ଆଶା କରାଯାଏ । ତେବେ ଇଂଲଣ୍ଡରେ ଟେଷ୍ଟ କ୍ରିକେଟ୍ ଖେଳିବା କଦାପି ସହଜ ନୁହେଁ |
ଭାରତୀୟ ବ୍ୟାଟ୍ସମ୍ୟାନ୍ମାନଙ୍କ ପାଇଁ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଏବଂ ସ୍କଟ ବୋଲାଣ୍ଡଙ୍କ ଭଳି ଦ୍ରୁତ ବୋଲରଙ୍କ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବେ

ଏହି ମ୍ୟାଚକୁ ‘ଅଲ୍ଟିମେଟ୍ ଟେଷ୍ଟ’ କୁହାଯାଉଥିବା ବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ସହ ଶୁଭମାନ ଗିଲଙ୍କ ପରି ଉଦୀୟମାନ ତାରକାଙ୍କ ପାଇଁ ଏହା କଡ଼ା ପରୀକ୍ଷା ହେବ। ଏଥିରେ କୌଣସି ସନ୍ଦେହ ନାହିଁ ।

ଚେତେଶ୍ୱର ପୂଜାରା ଏହି ମ୍ୟାଚରେ କାଉଣ୍ଟି କ୍ରିକେଟ୍ ରେ ନିଜର ଭଲ ଫର୍ମକୁ ଦୋହରାଇବାକୁ ଚାହୁଁଥିବାବେଳେ ଅଜିଙ୍କ୍ୟ ରାହାଣେ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିବେ ।
ଭାରତୀୟ ଦଳ ତୁଳନାରେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ମ୍ୟାଚ୍ ଫିଟ୍ ପାଇବା ପାଇଁ ଅଧିକ ସୁଯୋଗ ମିଳିନାହିଁ କିନ୍ତୁ ସେମାନେ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତ | ଦଳର ତିନିଜଣ ଖେଳାଳି ଆଇପିଏଲରେ ଖେଳିଥିବାବେଳେ ମାର୍ନସ ଲାବୁସେନ୍ ଏବଂ ଷ୍ଟିଭ୍ ସ୍ମିଥ୍ କାଉଣ୍ଟି ଦଳର ଅଂଶବିଶେଷ ଥିଲେ। ପ୍ୟାଟ୍ କମିନ୍ସଙ୍କ ପରି ଖେଳାଳି ଘରେ ପ୍ରସ୍ତୁତ କରିଥିଲେ ।

ଭଲ ପେସ୍ ଆକ୍ରମଣ ବିପକ୍ଷରେ ଉଭୟ ଦଳର ଟପ୍ ଅର୍ଡର କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ମ୍ୟାଚର ଫଳାଫଳ ନିର୍ଭର କରିବ। ଓପନର୍ ଉସମାନ ଖ୍ବାଜାଙ୍କ ଠାରୁ ଅଷ୍ଟ୍ରେଲିଆ ବହୁତ ଆଶା ରଖିଥିବାବେଳେ ଡେଭିଡ ୱାର୍ଣ୍ଣର ତାଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଛାପ ଛାଡ଼ିବାକୁ ଚାହିଁବେ।

ଏହି ଗ୍ରାଉଣ୍ଡରେ ସ୍ମିଥଙ୍କ ଆଭରେଜ୍ ପ୍ରାୟ ୧୦୦ ରହିଛି ଏବଂ ଯଦି ଭାରତ ମ୍ୟାଚ୍ ଜିତିବାକୁ ଚାହୁଁଛି ତେବେ ତାଙ୍କୁ ଶୀଘ୍ର ଆଉଟ୍ କରିବାକୁ ପଡ଼ିବ |

ଯେଉଁ ପିଚ୍ ହେଉନା କାହିଁକି ଅଭିଜ୍ଞ ଅଫ୍ ସ୍ପିନର ନାଥନ୍ ଲାୟନ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବାରେ ସିଦ୍ଧହସ୍ତ । କ୍ୟାମେରନ୍ ଗ୍ରୀନଙ୍କ ଅଲରାଉଣ୍ଡର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।

ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ହାରିସ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଉସମାନ ଖ୍ବାଜା, ମାର୍ନସ୍ ଲାବୁସେନ୍, ନାଥନ୍ ଲାୟନ, ଜୋସ୍ ଇଂଲିସ୍, ଟଡ୍ ମର୍ଫି, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ଡେଭିଡ ୱାର୍ଣ୍ଣର ।

ରିଜର୍ଭ: ମିଚେଲ ମାର୍ଶ ଓ ମ୍ୟାଟ ରେନସା |

ଭାରତ: ରୋହିତ ଶର୍ମା (ଅଧିନାୟକ), ରବିଚନ୍ଦ୍ରନ ଅଶ୍ୱିନ, କେ.ଏସ୍ ଭରତ, ଶୁଭମାନ ଗିଲ, ରବିନ୍ଦ୍ର ଜାଡେଜା, ବିରାଟ କୋହଲି, ଇଶାନ କିଶନ, ଚେତେଶ୍ୱର ପୂଜାରା, ଅକ୍ଷର ପଟେଲ, ଅଜିଙ୍କ୍ୟ ରାହାଣେ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକଟ ।

ରିଜର୍ଭ: ଯଶସ୍ୱୀ ଜୈସୱାଲ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବ

Exit mobile version