Site icon ଆଜିକାଲି

ଆଜି ଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ

ଢାକା : ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଆଜି ଦୁଇ ମ୍ୟାଚ୍‌‌ ବିଶିଷ୍ଟ କ୍ରିକେଟ୍‌‌ ସିରିଜ୍‌‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌‌ ଭାରତୀୟ ସମୟ ସକାଳ ୯ଟାରେ ଚଟୋଗ୍ରାମରେ ଖେଳାଯିବ। ଢାକାରେ ଆସନ୍ତା ୨୨ ତାରିଖରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌‌ ଖେଳାଯିବ। ପୂର୍ବରୁ ଭାରତ ତିନି ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ କ୍ରିକେଟ୍‌‌ ସିରିଜ୍‌‌ରେ ବାଙ୍ଗଲାଦେଶ ଠାରୁ ୨-୧ରେ ପରାସ୍ତ ହୋଇଥିଲା।

ଦିନିକିଆ ଶୃଙ୍ଖଳା ହାରିବା ପରେ ଭାରତୀୟ ଦଳ ବୁଧବାରଠାରୁ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଚଳିତ ଆଇସିସି‌ ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନସିପ୍‌ର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ ଲାଗି ଏହା ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ନିୟମିତ ଅଧିନାୟକ ରୋହ‌ିତ ଶର୍ମାଙ୍କ ବିନା ଭାରତ ଏହି ଶୃଙ୍ଖଳା ଖେଳିବାକୁ ଯାଉଥିବାରୁ ରାହୁଲ ଦ୍ରାବିଡ଼ଙ୍କ ଯୋଜନା ମଧ୍ୟ ଅଗ୍ନି ପରୀକ୍ଷାରେ ରହିବ। ଏପରିକି କେଲ୍‌ ରାହୁଲଙ୍କ ନେତୃତ୍ବର ମଧ୍ୟ ପରୀକ୍ଷା ହେବ। ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ (ଡବ୍‌ଲ୍ୟୁଟିସି) ପଏଣ୍ଟ ଟେବୁଲ୍‌ରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ପ୍ରଥମ ୩ ସ୍ଥାନରେ ରହିଛନ୍ତି। ଭାରତକୁ ସିଧାସଳଖ ଫାଇନାଲ୍ ଯୋଗ୍ୟତା ଅର୍ଜନ ଲାଗି ଏବେ ଶୃଙ୍ଖଳାର ଉଭୟ ଟେଷ୍ଟ୍‌ ଜିତିବା ଆବଶ୍ୟକ। ଏହା ସହିତ କୌଣସି ‘କିନ୍ତୁ’କୁ ଏଡ଼ାଇବା ଲାଗି ଘରୋଇ ମାଟିରେ ଜାନୁଆରିରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ ଟେଷ୍ଟ୍‌ରେ ମଧ୍ୟ ବିଜୟୀ ହେବାକୁ ପଡ଼ିବ। ସେହି ଦୃଷ୍ଟିରୁ ଭାରତ ପାଇଁ ପ୍ରଥମେ ବାଂଲାଦେଶ ବିପକ୍ଷ ଶୃଙ୍ଖଳାକୁ ମୂଳପୋଛ କରିବା ଜରୁରୀ।

ଚଟ୍ଟୋଗ୍ରାମର ଜହୁର ଅହମ୍ମଦ ଷ୍ଟାଡିୟମ୍‌ ପାରମ୍ପରିକ ଭାବେ ବ୍ୟାଟରଙ୍କୁ ସୁହାଉଥିବାର ଉଦାହରଣ ରହିଛି। ତୃତୀୟ ଦିନଠାରୁ ପିଚ୍‌ରୁ ‌ସ୍ପିନରଙ୍କୁ ଟର୍ଣ୍ଣ ମିଳିବା ସମ୍ଭାବନା ରହିଛି। ଭାରତ ବିପକ୍ଷରେ ବାଂଲାଦେଶ ଏହି ଫର୍ମାଟରେ ବିଜୟୀ ହୋଇନଥିଲେ ମଧ୍ୟ ରୋହିତ ଶର୍ମା, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତି ଭ୍ରମଣକାରୀ ଦଳକୁ ଅଡୁଆରେ ପକାଇପାରେ। ବି‌‌ଶେଷ କରି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତି ଏଭଳି ପରିସ୍ଥିତିରେ ଭାରତକୁ ବ୍ୟାକ୍‌ଫୁଟ୍‌ରେ ରଖିବ। ଅଶ୍ବିନ-ଜାଦେଜାଙ୍କ ଭୂମିକାକୁ ଅଶ୍ବିନ-ଅକ୍ଷର କେତେ ତୁଲାଇ ପାରିବେ ଦେଖିବାର ଅଛି। ଫିଟ୍‌ ଥିଲେ ଭାରତର ପ୍ରଥମ ପସନ୍ଦର ୧୦ ଜଣ ଖେଳାଳି ନିଜକୁ ନିଜେ ଖେଳିବାକୁ ପ୍ରସ୍ତୁତ ରଖିଥିଲେ ମଧ୍ୟ ପଞ୍ଚମ ସ୍ପେଶାଲିଷ୍ଟ ବୋଲର ଚୟନ ନେଇ ଦ୍ବନ୍ଦ୍ବ ରହିଛି। ଭାରତ ତୃତୀୟ ପେସର୍‌ କି ସ୍ପିନର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଚୂଡାନ୍ତ କରିପାରିନାହିଁ। ଯଦି ତୃତୀୟ ସ୍ପିନର୍‌ ସପକ୍ଷରେ ଦଳ ରହିବ ତେବେ ରିଷ୍ଟ ସ୍ପିନର୍‌ କୁଲଦୀପ ଯାଦବ କି ବାମହାତୀ ସୌରଭ କୁମାରଙ୍କୁ ଖେଳାଇବ ଦ୍ବିତୀୟ ପ୍ରଶ୍ନ ଉଠିବ। ଏ ସମ୍ପର୍କରେ ଦଳର ଦୁଇ କର୍ଣ୍ଣାଟକ ରାହୁଲ୍‌ (ଅଧିନାୟକ କେଏଲ୍ ରାହୁଲ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼) ନିଷ୍ପତ୍ତି ‌ନେବେ। ଭାରତ ‘ଏ’ ପାଇଁ ସୌରଭ କୁମାର ବାଂଲାଦେଶରେ ଭଲ କରିଥିବାରୁ ଟେଷ୍ଟ୍ କ୍ୟାପ୍ ଅର୍ଜନ କରିବା ସମ୍ଭାବନା ମଧ୍ୟ ରହିଛି। ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦୁଳ ଠାକୁର ପେସ୍‌ ବୋଲିଂର ଦାୟିତ୍ବ ନେଇପାରନ୍ତି। ସୋମବାର ଟ୍ରଫି ଉନ୍ମୋଚନ ଉତ୍ସବ ଅବସରରେ ଦ୍ରାବିଡ଼ କହିଥିଲେ, ଲଗାତାର ଦ୍ବିତୀୟ ଥର ଡବଲ୍ୟୁଟିସି ଫାଇନାଲ୍ ଯୋଗ୍ୟତା ଲାଗି ଆମକୁ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାର ଆବଶ୍ୟକତା ରହିଛି। କେଏଲ୍‌ ରାହୁଲ ଓ ଶୁବମନ ଗିଲ୍‌ ପାଳି ଆରମ୍ଭ କରିବା ପରେ ବିରାଟ କୋହଲି, ଚେତେଶ୍ବର ପୂଜାରା, ଶ୍ରେୟସ ଆୟର ନିଶ୍ଚିତ ଭାରତର ବ୍ୟାଟିଂ ଭାର ସମ୍ଭାଳିବେ। ୱିକେଟରକ୍ଷକ ଭୂମିକା ନିଶ୍ଚିତ ଭାବେ ଋଷଭ ପନ୍ତ୍‌ଙ୍କ ଉପରେ ରହିବ। ବିରାଟ କୋହଲି ତାଙ୍କ ଶେଷ ଟେଷ୍ଟ୍ ଶତକ ୨୦୧୯ ମସିହାରେ ବାଂଲାଦେଶରେ ହାସଲ କରିଥିବାରୁ ଚଟ୍ଟୋଗ୍ରାମରେ ନିଜ ୨୮ତମ ଟେଷ୍ଟ ଶତକ ଅର୍ଜନ କରିବା ଆଶାରେ ରହିଛନ୍ତି ପ୍ରଶଂସକ।

ଅନ୍ୟପକ୍ଷରେ ବାଂଲାଦେଶ ଦୀର୍ଘ ୨୨ ବର୍ଷ ଧରି ଭାରତ ବିପକ୍ଷରେ ଥିବା ବିଜୟଶୂନ୍ୟ ଧାରାକୁ ଭାଙ୍ଗିବା ଆଶାରେ ରହିଛି। ୨୦୦୦ ମସିହାରେ ଭାରତ ବିପକ୍ଷରେ ପଦାର୍ପଣ ଟେଷ୍ଟ୍ ଖେଳିଥିବା ଘରୋଇ ଦଳକୁ ଏହାଠାରୁ ବଡ଼ ସୁଯୋଗ ମଧ୍ୟ ଆଉ ମିଳିନପାରୋ। ତସ୍‌କିନ୍‌ ଅହମ୍ମଦ, ଏବାଦତ ହୋସେନ୍‌, ସୋରିଫୁଲ୍‌ ଇସଲାମଙ୍କ ପେସ୍‌ ଛଡ଼ା ସକିବ୍ ଅଲ୍ ହାସନ୍‌ ଓ ତୈଜୁଲ ଇସ୍‌ଲାମଙ୍କ ସ୍ପିନ୍‌ ନିଶ୍ଚିତ ଭାରତ ପାଇଁ ଆହ୍ବାନ ଆଣିବ। ତସ୍‌କିନ୍‌ଙ୍କୁ କିନ୍ତୁ ଦଳ ବିଶ୍ରାମ ଦେବା ଯୋଜନା ରଖିଥିବା ବେଳେ ଦିନିକିଆ ଶୃଙ୍ଖଳା ବେଳେ ଉମ୍ରାନ ମଲ୍ଲିକଙ୍କ ବଲ୍‌ରେ ଆଘାତପ୍ରାପ୍ତ ସକିବ୍ ଅଲ୍ ହାସନଙ୍କ ଖେଳିବା ସମ୍ପର୍କରେ କିନ୍ତୁ କିଛି ସ୍ପଷ୍ଟ କରାଯାଇନାହିଁ।

ଭାରତ ସମ୍ଭାବ୍ୟ ଏକାଦଶ : ଶୁବମନ ଗିଲ୍‌, କେଏଲ୍ ରାହୁଲ୍‌ (ଅଧିନାୟକ), ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର୍‌, ଋଷଭ ପନ୍ତ୍ (ୱିକେଟରକ୍ଷକ), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦୁଳ ଠାକୁର, ଉମେଶ ଯାଦବ, ମହମ୍ମଦ ସିରାଜ।

ବାଂଲାଦେଶ ସମ୍ଭାବ୍ୟ ଏକାଦଶ : ମହମ୍ମଦୁଲ ହାସନ୍ ଜୟ, ଜାକିର ହାସନ୍‌, ‌ନଜମୁଲ ହୋସେନ୍‌ ସାଣ୍ଟୋ, ମୁସ୍‌ଫିକର ରହିମ୍‌, ସକିବ୍ ଅଲ୍ ହାସନ୍ (ଅଧିନାୟକ), ଲିଟନ୍ ଦାସ, ନୁରୁଲ ହାସନ୍‌ (ୱିକେଟରକ୍ଷକ), ମେହିଦି ହାସନ୍ ମିରାଜ, ଏବାଦତ ହୋସେନ୍‌, ଖାଲିଦ ଅହମ୍ମଦ, ତୈଜୁଲ ଇସଲାମ୍‌।

Exit mobile version